ଅଧିକ ପଢନ୍ତୁ ଭାରତ ଖବର
ଜି-୨୦ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପିଏମ ଋଷି ସୁନକ, କାନାଡା ପିଏମ ଜଷ୍ଟିନ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରମ, ଜାପାନ ପିଏମ ଫିମିଓ କିଶିଦୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏଣ୍ଟୋନୀ ଅଲବନିଜ, ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସମେତ ବିଶ୍ବର ୨୦ ଦେଶର ରାଷ୍ଟ୍ରନେତାଙ୍କୁ ଦେଖିବାକୁ ମିଳିବ । ଶୁକ୍ରବାରଠାରୁ ୩ ଦିନ ଯାଏ ସମ୍ମିଳନୀରେ ବିଶ୍ବ ଅର୍ଥବ୍ୟବସ୍ଥା, ଭରିଷ୍ୟତର ଆହ୍ବାନ, ପରିବେଶ ସୁରକ୍ଷା ସମେତ ଆର୍ଥିକ ବିକାଶ ପରି ବୈଶିକ ପ୍ରସଙ୍ଗରେ ମହାମନ୍ଥନ ହେବ । ଗୁରୁବାର ବଦଳରେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିବେ ଆମେରିକା ରାଷ୍ଟ୍ରମୁଖ୍ୟ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ବାଇଡେନ ଶୁକ୍ରବାର ପିଏମ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ହେବେ ସାମିଲ ।
ଜି-୨୦ରେ ଭାରତ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୂର୍କୀ, ୟୁକେ, ୟୁଏସ ସମେତ ୟୁରୋପୀୟ ୟୁନିଅନରେ ୨୭ ସଦସ୍ୟ ସାମିଲ ହେବେ । ଏହାବ୍ୟତୀତ ଚଳିତବର୍ଷ ଜି-୨୦ ସମ୍ମିଳନୀରେ ଅତିଥି ଭାବେ ଯୋଗଦେବେ ନେଦରଲ୍ୟାଣ୍ଡ, ସିଙ୍ଗାପୁର, ସ୍ପେନ, ୟୁଏଇ, ଓମାନ, ବାଂଲାଦେଶ, ଇଜିପ୍ଟ, ମରିସସ ଓ ନାଇଜେରିଆ ରାଷ୍ଟ୍ରନେତା ।
ଜି-୨୦ରେ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚୁଛନ୍ତି ଜଣେ ପରେ ଜଣେ ରାଷ୍ଟ୍ରନେତା । ଗୁରୁବାର ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନୌତଙ୍କୁ ଦିଲ୍ଲୀରେ ସ୍ବାଗତ କରାଯାଇଛି । ଜାତୀୟ ରାଜଧାନୀର ଗଳିକନ୍ଦିରେ ନଜର ରଖିଛନ୍ତି ଭାରତୀୟ ଯବାନ । ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ, ସ୍ନିଫର ଡଗ୍, କାଉଣ୍ଟର ଡ୍ରୋନ ସମେତ ଅତ୍ୟାଧୁନିକ ସୁରକ୍ଷା ଉପକରଣର ବଳୟ ଭିତରେ ରହିଛି ଦିଲ୍ଲୀ । ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେଉଥିବା ଅତିଥିଙ୍କ ଆତିଥ୍ୟତାକୁ ବେଶ ଗମ୍ଭୀରତାର ନେଇଛନ୍ତି ମୋଦି ସରକାର। ଯାହାକୁ ନଜରରେ ରଖି କରାଯାଇଛି ସ୍ବତନ୍ତ୍ର ପ୍ରସ୍ତୁତି । କେଉଁଠି ଆଲୋକରେ ସଜା ଯାଇଛି ତ ଆଉ କେଉଁଠି ପୋଷ୍ଟର ହୋଡିଂ ଲାଗିଛି ।
ଏପଟେ ଜି-୨୦ ସମ୍ମିଳନୀ ପୂର୍ବରୁ ସ୍ତମ୍ଭ ଲେଖି ବିଶ୍ବକୁ ମାନବ କୈନ୍ଦ୍ରିକ ପ୍ରଗତିର ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଶ୍ବବାସୀଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସହ ଜି-୨୦ ସମ୍ମିଳନୀର ଉଦ୍ଦେଶ୍ୟ ବିଷୟରେ ଲେଖିଛନ୍ତି ପିଏମ୍ ମୋଦି । ୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ବା ଏସଡିଜିର ପ୍ରଗତିକୁ ତ୍ବରାନ୍ବିତ କରିବା ଦିଗରେ କିଭଳି ଏଥରର ଜି-୨୦ ସମ୍ମିଳନୀ ବଡ଼ ଭୂମିକା ଲିଭାଇବାକୁ ଯାଇଛି ସେ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ବିବିଧତାର ଜନନୀ ଏବଂ ଗଣତନ୍ତ୍ରର ଆଦର୍ଶ ଭାରତ ଜି-୨୦ ମାଧ୍ୟମରେ ବିଶ୍ବ ପାଇଁ ଖୋଲି ଦେଇଛି ଅଭିଜ୍ଞତାର ଦ୍ବାର । ଜି-୨୦ ଭାରତରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୋଦି ଉଲ୍ଲେଖ କରିଛନ୍ତି ।