ଅଧିକ ପଢନ୍ତୁ : ଭାରତ ଆସିବେ ଆମେରିକା ରାଷ୍ଟ୍ରପତି
ଜି-୨୦ ବୈଠକ ପୂର୍ବରୁ କ୍ୟାବିନେଟ ବୈଠକରେ ସବୁ ମନ୍ତ୍ରୀଙ୍କୁ ସମୟାନୁବର୍ତ୍ତୀ ହେବା ସହ ଭିଭିଆଇପି ପରମ୍ପରା ଛାଡ଼ି ସେବାରେ ଲାଗିବାକୁ ଅପିଲ୍ କରିଛନ୍ତି ପିଏମ୍ ମୋଦି । ଏହା ସହ ବୈଠକ ସମୟରେ ସବୁ ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶ । ଏଥି ସହ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଲଞ୍ଚ୍ ହୋଇଥିବା ଜି-୨୦ ଆପ୍ ଡାଉନଲୋଡ୍ କରିବାକୁ ସବୁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପିଏମ୍ । ଆମେରିକାରୁ ଲଣ୍ଡନ, ଅଷ୍ଟ୍ରେଲିଆରୁ ଆଫ୍ରିକା ପର୍ଯ୍ୟନ୍ତ ବିଶ୍ବର ଅଧିକାଂଶ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସୁଅ ଛୁଟିବ ଭାରତକୁ । ତେବେ ରୁଷିଆ ଓ ଚୀନର ରାଷ୍ଟ୍ରମୁଖ୍ୟଙ୍କ ଅନୁପସ୍ଥିତିକୁ ନେଇ ପ୍ରତିକ୍ରିୟା ରଖି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି କି ଆମ କର୍ତ୍ତବ୍ୟ ଆମେ କରିଛୁ । ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ କେଉଁ ମାନେ ସାମିଲ ହେବେ କେଉଁମାନେ ହେବେନି ଏହା ସେହି ଦେଶର ଆଭ୍ୟନ୍ତରୀଣ ବ୍ୟାପାର ।
ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେଉଥିବା ଅତିଥିଙ୍କ ଆତିଥ୍ୟତାକୁ ବେଶ ଗମ୍ଭୀରତାର ନେଇଛନ୍ତି ମୋଦି ସରକାର । ଯାହାକୁ ନଜରରେ ରଖି କରାଯାଇଛି ସ୍ବତନ୍ତ୍ର ପ୍ରସ୍ତୁତି । ହାଇଟେକ୍ କନ୍ଫରେନ୍ସ ହଲଠୁ ନେଇ ସମସ୍ତଙ୍କ ରହଣି ପାଇଁ ହୋଇଛି ବିଶ୍ବସ୍ତରୀୟ ବ୍ୟବସ୍ଥା । ଏହା ଛଡ଼ା ଖାଦ୍ୟପେୟରେ ବ୍ୟବହାର ହେବ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏହି ଚାନ୍ଦିର ସାମଗ୍ରୀ । ଯେଉଁଥିରେ ଭାରତର ସଂସ୍କୃତି ଓ ପରମ୍ପରାର ଝଲକ୍ ଖୋଦେଇ ହୋଇଛି ।