ଦିଲ୍ଲୀରେ କେମିତି ଓଡ଼ିଆ ଖାଦ୍ୟ ର ମଜା ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକୁଟିଆ ନୁହେଁ ମ । ସାଥୀରେ ମନ୍ତ୍ରିମଣ୍ଡଳର ଆଉ ଦୁଇ ସଦସ୍ୟ । ଆଇନ ମନ୍ତ୍ରୀ କିରଣ ରିଜିଜୁ ଓ ସଂସ୍କୃତି ମନ୍ତ୍ରୀ ଜି.ଭି. କିଷାନ ରେଡ୍ଡୀ । ଓଡ଼ିଆ ଖାଦ୍ୟର ସ୍ବାଦ, ମହକ ଓ ପରମ୍ପରାକୁ ଧର୍ମେନ୍ଦ୍ର ବେଶ ସୁନ୍ଦର ଭାବରେ ସେମାନଙ୍କ ଆଗରେ ଥୋଉଥିବା ବେଳେ ତିନି ମନ୍ତ୍ରୀ ମିଶି ଓଡ଼ିଆ ଖାଦ୍ୟର ମଜା ଉଠାଇଛନ୍ତି । ଦିଲ୍ଲୀରେ ସାଧାରଣତଃ ଓଡ଼ିଆ ଖାଦ୍ୟ କମ୍ ମିଳେ । ତେଣୁ ଓଡ଼ିଶା ପର୍ବ ବାହାନାରେ ଓଡ଼ିଆ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରିଛନ୍ତି ଧର୍ମେନ୍ଦ୍ର ।
ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀରେ ଉଦଘାଟିତ ହୋଇଛି ୩ ଦିନିଆ ଓଡ଼ିଶା ପର୍ବ ୨୦୨୩
ଏବେ ଏବେ ତ ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଗୁପଚୁପ୍ ଖୁଆଇ ସାଧିଥିବା କୂଟନୀତିକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା । ହେଲେ ଏଠି ତିନି କେନ୍ଦ୍ରମନ୍ତ୍ରୀ ଗୁପଚୁପ୍ ଖାଇ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଚର୍ଚ୍ଚା କରିଛନ୍ତି । ତା ସାଙ୍ଗକୁ ପାହାଳ ରସଗୋଲା, ଚାଟ୍ ଓ ବିଶ୍ୱ ପ୍ରସିଦ୍ଧ ବାରିପଦା ମାଂସମୁଢ଼ିକୁ ମନଭରି ଉପଭୋଗ କରିଛନ୍ତି । ଶେଷରେ ହାଲକା ମିଞ୍ଜାସରେ ଧର୍ମେନ୍ଦ୍ର ବଲାଙ୍ଗିରର ନକୁଳ ମୁଢି ଓ ଚା’ ପିଇ ଓଡ଼ିଶା ପର୍ବ ରୁ ଫେରିଛନ୍ତି ।
ଖାଲି ଏହି ତିନି ମନ୍ତ୍ରୀ ନୁହନ୍ତି । ମନ୍ତ୍ରୀ ଅନୁରାଗ ଠାକୁର ବି ଓଡ଼ିଶା ପର୍ବରେ ଓଡ଼ିଆ ଖାଦ୍ୟର ମଜା ନେଇଛନ୍ତି । ଗତକାଲି ସଂଧ୍ୟାରେ ଅନୁରାଗ ଓଡ଼ିଶା ପର୍ବରେ ସାମିଲ ହୋଇଥିବା ବେଳେ ଦହିବରା ଖାଇ ଆତ୍ମା ଶାନ୍ତି କରିଛନ୍ତି । ପରେ ଘୁଘୁନି ଓ ରାବିଡ଼ି ଖାଇବା ସହ ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ବିଶେଷ କରି ଓଡ଼ିଶା ପର୍ବର ଆୟୋଜନ ନେଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ।
ଦିଲ୍ଲୀର ଓଡ଼ିଶା ପର୍ବରେ ଆମ ରାଜ୍ୟର ପ୍ରାୟ ସବୁ ସ୍ଥାନରୁ ଖାଦ୍ୟ ପ୍ରସ୍ତୁତକାରୀମାନେ ଯାଇ ସେମାନଙ୍କର ଷ୍ଟଲ ଲଗାଇଛନ୍ତି । ଯାହା ମଧ୍ୟରେ ପୁରୀ ଖଜା, ନିର୍ମାଲ୍ୟ ଓ ମହାପ୍ରସାଦ ସାମିଲ ଅଛି । ଓଡ଼ିଶା ଖାଦ୍ୟର ପ୍ରଚାର, ପ୍ରସାର ହେବା ସହ ବେପାର ବି ବେଶ ଜମୁଛି, ଯେଉଁଥିପାଇଁ ସେମାନଙ୍କ ଖୁସି କହିଲେ ନ ସରେ । ଲୋକେ ବି ଖାଦ୍ୟର ମଜା ଲୁଟୁଛନ୍ତି ।
ଅଧିକ ପଢ଼ନ୍ତୁ ଭାରତ ଖବର