ରୁଷ୍ ଠାରୁ ଭାରତ ଯାଏଁ – ଏହି ରେଳ ହିଁ ପୃଥିବୀର ବଡ଼ ବଡ଼ ଜନ-ଆନ୍ଦୋଳନ ତଥା ମୁକ୍ତି ସଂଗ୍ରାମକୁ ରୂପ ଦେଇଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଭାରତର ସାମାଜିକ, ଅର୍ଥନେତିକ ଓ ରାଜନୈତିକ ପୃଷ୍ଠଭୂମିରେ ଯେଉଁଆଡ଼େ ଦେଖିଲେ, ଦିଶୁଥିଲା ଧାଡ଼ି ଧାଡ଼ି ରେଳପଥ, ରେଳଗାଡ଼ି ଓ ରେଳ ଆଧାରିତ ବିକାଶର ମାଳ ମାଳ ଚିତ୍ର । କିନ୍ତୁ ଏହି ବିକାଶ ଭିତରେ ଦିଶୁଥିଲା ଓଡ଼ିଶା ଭଳି ଏକ ପ୍ରାକୃତିକ ସମ୍ପଦ ସମ୍ପନ୍ନ ଭୂଖଣ୍ଡର ନିରୋଳା ବୈଷମ୍ୟର ଛବି ।
ସ୍ୱାଧୀନତା ପରର ଭାରତରେ ଗଡ଼ଜାତ ଓ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ସଂପୃକ୍ତ ରାଜାମାନଙ୍କ ଅଧୀନରେ ରହିଆସିଥିବା ରେଳବାଇ ସବୁ ସରକାରଙ୍କ ମାଲିକାନାକୁ ଆସିଲା । ଓଡ଼ିଶାର ମଧ୍ୟ ସାନ ବଡ଼ 26ଟି ଗଡ଼ଜାତ ଏହି ଦେଶ ମିଶ୍ରଣରେ ସାମିଲ ଥିଲେ । କିନ୍ତୁ ଯେତେବେଳେ ରେଳ ବିକାଶର ପ୍ରକ୍ରିୟା ଆରମ୍ଭ ହେଲା, ଦେଖାଗଲା ଯେ ଓଡ଼ିଶା, ସେ ସମୟର କଂଗ୍ରେସ ସରକାର ଗୁଡ଼ିକର ତାଲିକାରେ ସତେ ଅବା ନଥିଲା । ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ପ୍ରତି ରେଳବାଇ ଅବହେଳାର ଅଧ୍ୟାୟ ପରେ ଅଧ୍ୟାୟ ଗଡ଼ିଚାଲିଲା । ଏ ଅବହେଳା ପୁଣି ଓଡ଼ିଶା ପାଇଁ ଅନେକ ତିରସ୍କାର ଆଣିଦେଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂ ଯେତେବେଳେ ଓଡ଼ିଶାକୁ ଉପହାସ କଲେ – “ଟଙ୍କା କଣ ଗଛରେ ଫଳୁଛି” କହି, ତାହା ମୋ ମାଟି ପ୍ରତି ଦଶନ୍ଧି ଦଶନ୍ଧି ଧରି ହୋଇଆସିଥିବା ଉପେକ୍ଷା ଓ ଅବହେଳାର ଗୋଟାଏ ଫ୍ଲାସ୍ ବ୍ୟାକ୍ ମୋ ମନରେ ଆଙ୍କିଦେଇଥିଲା। ଲାଗୁଥିଲା, ଏଇ ଉପେକ୍ଷା ବୋଧେ ଓଡ଼ିଶାର ବିକାଶଧାରା । ଧାଡ଼ିକରେ କହିଲେ, ଅବହେଳାର ଅନ୍ୟନାମ ଥିଲା ଓଡ଼ିଶା ।
2014 ସାଧାରଣ ନିର୍ବାଚନ କିନ୍ତୁ ଓଡ଼ିଶା ବିକାଶରେ ନୂଆ ମୋଡ଼ ଆଣିଲା । ଏଇଠି ଗୋଟେ ପାରାଡାଇମ୍ ସିଫ୍ଟ ହେଲା, ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦିଜୀ ଦାୟିତ୍ୱ ନେଲେ । ଅବହେଳାର ଯୁଗ ଶେଷ ହୋଇ ଏକ ତ୍ୱରିତ ବିକାଶର ଯୁଗ ଆରମ୍ଭ ହେଲା । ମୋଦିଜୀଙ୍କ ବିକାଶର ମଡେଲର ଫୋକସ୍ ପୂର୍ବ-ଭାରତର ଉଦୟ ଯାତ୍ରା ଓଡ଼ିଶାର ଭାଗ୍ୟ ବଦଳାଇ ଦେଲା ।
ପୂର୍ବର ସରକାରଗୁଡ଼ିକ ଅମଳରେ ରେଳ ଏକ ବିକାଶର ବିଷୟ ନହୋଇ ବରଂ ରାଜନୀତିର ବିଷୟ ହୋଇ ରହିଥିଲା । ଯୋଡ଼ିଏ ନୂଆ ଟ୍ରେନ କି ଗୋଟେ ନୂଆ କାରଖାନାର ପ୍ରତିଶୃତି ଭିତରେ କେବଳ ଏକ ସୁବିଧାବାଦୀ ରାଜନୀତି କାୟାବିସ୍ତାର କରିଚାଲିଥିଲା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ଏଥିରେ ବଳି ପଡ଼ିଯାଉଥିଲା । ଉପେକ୍ଷିତ, ସୀମାନ୍ତ ଓ ଦୁର୍ଗମ ଜିଲ୍ଲା ଗୁଡିକରେ ରେଳ ସାତ ସପନ ପାଲଟିଥିଲା । 2014 ପୂର୍ବରୁ ଆମ ରାଜ୍ୟକୁ ରେଳ ପ୍ରକଳ୍ପ ପାଇଁ ବାର୍ଷିକ ହାରାହାରି ମାତ୍ର 838 କୋଟି ଟଙ୍କା ମିଳୁଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ତଥା ଅଭିନବ କାର୍ଯ୍ୟଶୈଳୀ ଯୋଗୁଁ ବିଗତ 9 ବର୍ଷରେ ରେଳ ବଜେଟରେ ଓଡ଼ିଶାକୁ ମୋଟ 51,237 କୋଟି ଟଙ୍କାର ଅନୁଦାନ ମିଳିଛି । କେବଳ 2023-24 ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ 10,012 କୋଟି ଟଙ୍କା ଆବଣ୍ଟନ କରାଯାଇଛି – ଏ ପରିମାଣ ପୂର୍ବାପେକ୍ଷା ପ୍ରାୟ 12 ଗୁଣ ଅଧିକ । ଏବେ ନୂଆ ନୂଆ ରେଳ ଲାଇନ୍ ବିଛାଯାଉଛି, ପୁରୁଣା ଲାଇନ୍ ଗୁଡ଼ିକର ସଂପ୍ରସାରଣ ତଥା ଦୋହରୀକରଣ ହେଉଛି, ଟ୍ରାକ୍ ଗୁଡ଼ିକର ନବୀକରଣ ହେଉଛି – ଆଉ ଏ ସବୁ କାମ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ, ସମୟବଦ୍ଧ ଭାବରେ ।
2004 ରୁ 2014 ମସିହା ମଧ୍ୟରେ ବାର୍ଷିକ ମାତ୍ର 10 କିମି ନୂଆ ଲାଇନ ତିଆରି ହେଉଥିଲା ବେଳେ ଗତ 9 ବର୍ଷରେ ଏହା 24 କିମି କୁ ବୃଦ୍ଧି ପାଇଛି । ସେହିଭଳି ପୂର୍ବରୁ ବର୍ଷକୁ ମାତ୍ର 14 କିମି ଲାଇନ ଦୋହରିକରଣ ହେଉଥିଲା ବେଳେ ଏବେ ବର୍ଷକୁ 117 କିମି ରେଳ ଲାଇନ ଦୋହରିକରଣ କରାଯାଉଛି । ରେଳ ଳାଇନ୍ ଗୁଡ଼ିକର ବିଦ୍ୟୁତିକରଣ ମଧ୍ୟ ବାର୍ଷିକ 35 କିମି ରୁ 1,301 କିମି କୁ ବୃଦ୍ଧି ପାଇଛି, ଯାହା ଫଳରେ ଆଜି ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତିକରଣ ହୋଇସାରିଛି ।
ସେହିପରି, ପୂର୍ବ ସରକାର ଅମଳରେ ରେଳ ବିଭାଗର ପୁଞ୍ଜିବ୍ୟୟ ବର୍ଷକୁ ମାତ୍ର 780 କୋଟି ଟଙ୍କା ଭିତରେ ସୀମିତ ରହୁଥିବା ବେଳେ ଏବେ ଏହା ବାର୍ଷିକ 3,568 କୋଟି ଟଙ୍କାରେ ପହଞ୍ଚିଛି ।
ସଂପ୍ରତି ଓଡ଼ିଶାରେ 1,619 କିଲୋମିଟର ନୂଆ ଲାଇନ ବା ଗଜ୍ ପରିବର୍ତ୍ତନର 12 ଟି ପ୍ରକଳ୍ପରେ କାମ ଚାଲୁଅଛି ଏବଂ ଏଥିରେ ମୋଟ 21,659 କୋଟି ଟଙ୍କା ବ୍ୟୟ ହେବ । ସେହିଭଳି 34,100 କୋଟି ଟଙ୍କା ବ୍ୟୟରେ 2,991 କିଲୋମିଟର ରେଳପଥର ଦୋହରିକରଣ ବା ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣର 23ଟି ପ୍ରକଳ୍ପ କାମ ଜାରି ରହିଛି । 1,802.11 କୋଟି ଟଙ୍କା ବ୍ୟୟରେ 82 କିଲୋମିଟର ଦୀର୍ଘ ପାରାଦୀପ-ହରିଦାସପୁର ରେଳ ଲାଇନ୍ କେନ୍ଦ୍ରାପଡ଼ା ଜିଲ୍ଲାକୁ ଭାରତର ରେଳ ମାନଚିତ୍ରରେ ଯୋଡ଼ିସାରିଛି । ବହୁ ପ୍ରତୀକ୍ଷିତ ତାଳଚେର- ବିମଳାଗଡ଼ ନୂଆ ରେଳ ଲାଇନ କାମକୁ ତ୍ୱରାନ୍ୱିତ କରାଯାଇ ଓଡ଼ିଶାର ଖଣିଜ ସମୃଦ୍ଧ ଅଞ୍ଚଳରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରାଯାଉଛି । ଏହି ଲାଇନ ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତାକୁ ଯଥେଷ୍ଟ ହ୍ରାସ କରିବ ଏବଂ ତାଳଚେର ଆଖପାଖ ଅଞ୍ଚଳ ସମେତ ଦେବଗଡ଼ ଜିଲ୍ଲାକୁ ରେଳ ମାନଚିତ୍ରରେ ସ୍ଥାନ ଦେବ ।
ସେହିପରି 289 କିଲୋମିଟର ଦୀର୍ଘ ଖୋର୍ଦ୍ଧାରୋଡ-ବଲାଙ୍ଗୀର ଲାଇନ୍ ଓ ନୂଆପଡ଼ା-ଗୁଣୁପୁର ବ୍ରଡଗଜ୍ ଲାଇନ୍ ଭଳି ପ୍ରକଳ୍ପ ପାଇଁ 2022-23 ପାଇଁ 655 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବ୍ୟୟବରାଦ ହୋଇଛି, ଯାହାଦ୍ଵାରା ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବା ସଙ୍ଗେ ସଙ୍ଗେ ଆମର କୋଟି କୋଟି ଓଡ଼ିଆ ଭାଇଭଉଣୀ ଏବଂ ଛାତ୍ରଛାତ୍ରୀ ଏଥିରୁ ବିଶେଷ ଉପକୃତ ହେବାକୁ ଯାଉଛନ୍ତି ।
ଦକ୍ଷିଣ-ପଶ୍ଚିମ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ବିକାଶ ପଥରେ ସାମିଲ କରିବା ପାଇଁ ନିକଟରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ 748 କୋଟି ଟଙ୍କା ବ୍ୟୟରେ ଜୟପୁର – ନବରଙ୍ଗପୁର ନୂଆ ଲାଇନ(38 କିମି), 1,277 କୋଟି ଟଙ୍କା ବ୍ୟୟରେ ଜୟପୁର – ମାଲକାନିଗିରି ନୂଆ ଲାଇନ (127 କିମି), 935 କୋଟି ଟଙ୍କା ବ୍ୟୟରେ ନୂଆପଡ଼ା–ଗୁଣପୁର ବ୍ରଡ୍ ଗଜ୍ ଲାଇନ୍ ର ଥେରୁବାଲି ଯାଏଁ ସମ୍ପ୍ରସାରଣ (79.15 କିମି) ଇତ୍ୟାଦି ନୂଆ ଓଡ଼ିଶା ନିର୍ମାଣର ସ୍ବପ୍ନରେ ନବରଙ୍ଗପୁର ଓ ମାଲକାନିଗିରିକୁ ସାମିଲ କରିବ । ଏହିସବୁ ନିର୍ମାଣାଧୀନ ନୂଆ ପ୍ରକଳ୍ପଗୁଡ଼ିକ ଦ୍ୱାରା ଏ ଅଞ୍ଚଳକୁ କେବଳ ଓଡ଼ିଶାର ପ୍ରମୁଖ ସହରାଞ୍ଚଳ ସହ ନୁହେଁ, ବରଂ ବିଶାଳ ଭାରତୀୟ ରେଳ ନେଟୱାର୍କ ସହିତ ମଧ୍ୟ ଯୋଡ଼ିବା ସହ ଓଡ଼ିଆ ସମାଜର ଅନ୍ତଃସ୍ରୋତ ଆମ ଜନଜାତି ସମୁଦାୟକୁ ମୁଖ୍ୟସ୍ରୋତରେ ମିଶାଇବାର ବାଟ ଫିଟାଇଛି ।
ସେହିପରି ପୁରୀ, କଟକ ଓ ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବାର ପରିକଳ୍ପନା ସାଙ୍ଗକୁ 2021-22ରେ ଓଡ଼ିଶାରେ ସର୍ବମୋଟ 66 ଟି ଷ୍ଟେସନ୍ ର ଉନ୍ନତିକରଣ/ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇ 27 ଟି ଷ୍ଟେସନ୍ କୁ ‘ଆଦର୍ଶ ଷ୍ଟେସନ୍’ ରୂପେ ବିକଶିତ କରାଯାଇ ସାରିଛି । ନୂଆ ଓଡ଼ିଶାର ନୂଆ ପରିଚୟ ରୂପେ 397.58 କୋଟି ଟଙ୍କା ବ୍ୟୟରେ ଭୁବନେଶ୍ଵର, 303 କୋଟି ଟଙ୍କା ବ୍ୟୟରେ କଟକ ଓ 162 କୋଟି ଟଙ୍କା ବ୍ୟୟରେ ପୁରୀ ରେଳଷ୍ଟେସନ୍ କୁ ବିଶ୍ଵସ୍ତରୀୟ ଷ୍ଟେସନ୍ ରୂପେ ତିଆରି କରାଯାଉଛି । ଏସବୁ ଦ୍ୱାରା ଓଡ଼ିଶାର ଯୋଗାଯୋଗ ତ ବଢ଼ୁଛି, ସାଙ୍ଗକୁ ପର୍ଯ୍ୟଟନ ବି ବଢ଼ୁଛି, ଅନେକ ନୂଆ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ପ୍ରକାରାନ୍ତରେ, ରାଜ୍ୟ ଅର୍ଥନୀତିର ନବକଳେବର ଘଟୁଛି ।
ସ୍ବଚ୍ଛତା ଦୃଷ୍ଟିରୁ, ଓଡିଶାରୁ ଚାଲୁଥିବା ସମସ୍ତ ଟ୍ରେନ୍ ରେ ଏବେ ବାୟୋ ଟୟଲେଟର ବ୍ୟବସ୍ଥା ହୋଇଛି । ଏହା ସହ 229ଟି ଷ୍ଟେସନ୍ ରେ ମାଗଣା ୱାଇଫାଇ ସେବାର ସୁବିଧା କରାଯାଇଛି ଯାହା ମଧ୍ୟରୁ 40 ଟି ଷ୍ଟେସନ୍ ଦୁର୍ଗମ/ଆଦିବାସୀ ବହୁଳ ଅଞ୍ଚଳରେ ରହିଛି।
ଅଧିକନ୍ତୁ, ଭାରତୀୟ ରେଳ ଦ୍ବାରା ଆରମ୍ଭ ହୋଇଥିବା ‘ୱାନ ଷ୍ଟେସନ୍ ୱାନ ପ୍ରଡକ୍ଟ’ ଓଡ଼ିଶାର ଯୁବ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବେଶ୍ ସହାୟକ ହେଉଛି । ଏହି ଉପକ୍ରମରେ ଖୋର୍ଦ୍ଧା ରୋଡ଼ ଡିଭିଜନରେ 84 ଟି, ସମ୍ବଲପୁର ଡିଭିଜନରେ 51 ଟି ଏବଂ ୱାଲଟିୟର ଡିଭିଜନରେ 28 ଟି ଷ୍ଟେସନ୍ ଚିହ୍ନିତ ହୋଇଛି ।
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା 8,216 କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ରେଳ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି । ଏଥି ମଧ୍ୟରେ ରହିଛି ପୁରୀ-ହାଓଡ଼ା ବନ୍ଦେ ଭାରତ ଟ୍ରେନ୍ । ଏହା ସାଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ ହେବାକୁ ଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି – 2,441 କୋଟି ଟଙ୍କା ବ୍ୟୟରେ ଅନୁଗୁଳ – ସୁକିନ୍ଦା ନୂଆ ରେଳ ଲାଇନ (104 କିଲୋମିଟର), ଯାହା କି ଓଡ଼ିଶାର କୋଇଲା ଓ ଲୁହାପଥର ବହୁଳ ଯୋଡ଼ା-ବଡ଼ବିଲ-କଳିଙ୍ଗନଗର ସହ ତାଳଚେର-ଅନୁଗୁଳକୁ ଯୋଡ଼ିବ ତଥା ଶିଳ୍ପକୁ ସୁବିଧା ସହ ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ବହୁ ଅଞ୍ଚଳର ଦୀର୍ଘ ଦିନର ସ୍ବପ୍ନକୁ ଏହା ସାକାର କରିବ । ଫଳରେ ସୁକିନ୍ଦା, ଭୁବନ, କାମାକ୍ଷାନଗର, ପରଜଙ୍ଗ, ବୁଢ଼ାପଙ୍କ ଓ ଅନୁଗୁଳ ଅଞ୍ଚଳର ଯାତ୍ରୀ ଏଣିକି ସୁବିଧାରେ ଦୂରଗାମୀ ଟ୍ରେନ ଧରିପାରିବେ। ସେହିପରି, 150 କୋଟି ଟଙ୍କା ବ୍ୟୟରେ ବିଛୁପାଲି-ଝରତରଭା ନୂଆ ଲାଇନ (10 କିମି)ର ଉଦ୍ଘାଟନ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପରେ ହେଉଥିବା ଅଗ୍ରଗତିର ସଦ୍ୟ ଉଦାହରଣ । 2,542 କୋଟି ଟଙ୍କା ବ୍ୟୟରେ ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା (184 କିମି) ତୃତୀୟ ରେଳ ଲାଇନ୍, 2618 କୋଟି ଟଙ୍କା ବ୍ୟୟରେ ସମ୍ବଲପୁର – ଟିଟିଲାଗଡ଼ ଦ୍ଵିତୀୟ ରେଳ ଲାଇନ୍ (182 କିଲୋମିଟର) ଇତ୍ୟାଦି ଆମ ଶିଳ୍ପ-ପ୍ରାଣକେନ୍ଦ୍ର ରାଉରକେଲା-ଝାରସୁଗୁଡ଼ା-ସମ୍ବଲପୁର ଅଞ୍ଚଳ ତଥା ସମଗ୍ର ପଶ୍ଚିମ ଓଡ଼ିଶାର ରେଳ ଅଭିବୃଦ୍ଧିରେ ସହାୟକ ହେବ।
ଆଞ୍ଚଳିକ ଯୋଗାଯୋଗ ପ୍ରତି ସଂକଳ୍ପବଦ୍ଧତାର ଏକ ଅଂଶ ଭାବରେ ଆମେ ଓଡ଼ିଶାରେ ଜନଜାତୀୟ ଗୌରବ କରିଡର, ଶକ୍ତି କରିଡର ଏବଂ ବନ୍ଦର କରିଡରକୁ ମଧ୍ୟ ବିକଶିତ କରୁଛୁ । ଏହି ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ମାଲ ପରିବହନ ଏବଂ ବାଣିଜ୍ୟରେ ବ୍ୟାପକ ଉନ୍ନତି ଆଣିବା, ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ । ଆମେ ଚାହୁଁ, ରଘୁରାଜପୁରର କାରିଗର ନିଜ ପଟ୍ଟଚିତ୍ରକୁ ଦୂର ବଜାରକୁ ଯେମିତି ପଠାଇପାରିବେ, କଳାହାଣ୍ଡିର କୃଷକ ନିଜର ସଦ୍ୟ ଉତ୍ପାଦିତ ସାମଗ୍ରୀ ଅତିଶୀଘ୍ର ବଡ଼ ବଡ଼ ବଜାରରେ ପହଞ୍ଚାଇପାରିବେ ଏବଂ କୋରାପୁଟର ଯୁବକ ଗାଁ ରେ ଥାଇ ବି ଯେମିତି ନିଜ ସ୍ୱପ୍ନ ପୂରଣ କରିପାରିବେ।
ଓଡ଼ିଶାର 30 ରୁ 25ଟି ଜିଲ୍ଲା ଆଜି ରେଳ ବ୍ୟବସ୍ଥା ସଙ୍ଗେ ଯୋଡ଼ି ହୋଇସାରିଛି । ତଥାପି କିଛି ପ୍ରତିବନ୍ଧକ ରହିଛି, ଯେଉଁଥିପାଇଁ ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ବିଳମ୍ବିତ ହୋଇଛି ଏବଂ ସାରା ଓଡ଼ିଶା ଏବେ ବି ରେଳ ଦ୍ୱାରା ଯୋଡ଼ି ହୋଇପାରିନାହିଁ । ଏହି ସବୁ ବାଧାବିଘ୍ନକୁ ଦୂର କରିବା ପାଇଁ ମୋଦି ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରରେ, “Infrastructure is not just about creating capital assets & generating long-term return on investment. It is not about the numbers. It is not about the money. It is about people. It is about providing them high quality, dependable & sustainable services in an equitable manner.”
ଆଜି ବନ୍ଦେ ଭାରତ ଏକ୍ସପ୍ରେସର ସ୍ୱାଗତ ଉତ୍ସବ କେବଳ ଗୋଟିଏ ଟ୍ରେନ୍ ର ଶୁଭାରମ୍ଭ ନୁହେଁ; ବରଂ ଏହା ଓଡ଼ିଶାରେ ଯୋଗାଯୋଗ, ବିକାଶ ଓ ସମୃଦ୍ଧିର ଏକ ନୂତନ ଯୁଗର ଅୟମାରମ୍ଭ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରୟାସକୁ ପୁଞ୍ଜି କରି ଭାରତୀୟ ରେଳବାଇ ଓଡ଼ିଶା-ବିକାଶର ମଙ୍ଗ ଧରୁ, ଓଡ଼ିଶାକୁ ଉନ୍ନତିର ଏକ ନୂଆ ଦିଗବଳୟ ଆଡ଼କୁ ଘେନିଯାଉ – ଏତିକି କାମନା।
ଅଧିକ ପଢ଼ନ୍ତୁ ରାଜନୀତି ଖବର