ଆସାମ/ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ପାଇଁ ଲଗାତାର ନିଜର ସାମର୍ଥ୍ୟ ଏବଂ କ୍ଷମତାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ । ବିଗତ ବର୍ଷ ମାନଙ୍କରେ ଆମେ ରିଫାଇନିଂ ଏବଂ ଜରୁରୀକାଳୀନସ୍ଥିତି ପାଇଁ ତୈଳ ଷ୍ଟୋରେଜ କ୍ଷମତାରେ ଯଥେଷ୍ଟ ବୃଦ୍ଧି କରାଯାଇଛି ବୋଲି ସୋମବାର ଆସାମର ଠାରେ ୩ ହଜାର ୩୨୨କୋଟି ଟଙ୍କା ମୂଲ୍ୟର ତୈଳ ଓ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପୂର୍ବ ଭାରତକୁ ଅଭିବୃଦ୍ଧିର ଇଞ୍ଜିନ ଭାବରେ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା
ଧମାଜୀ ସ୍ଥିତ ସିଲାପାଥର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆନ୍ ଅଏଲର ୨୬୦୦କୋଟି ମୂଲ୍ୟର ବଙ୍ଗାଇଗାଓଁ ତୈଳ ବିଶୋଧନାଗାରର ଇଣ୍ଡିମାକ୍ସ ୟୁନିଟ୍, ଦିବ୍ରୁଗଡର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ୪୯୦କୋଟି ଟଙ୍କା ବ୍ୟୟରେ ନିର୍ମିତ ସେକେଣ୍ଡାରୀ ଟ୍ୟାଙ୍କ୍ ଫାର୍ମ, ତିନିସୁକିଆର ମାକୁମ ସ୍ଥିତ ହେବେଡା ଗାଁରେ ଥିବା ୧୩୨କୋଟି ବ୍ୟୟରେ ନିର୍ମିତ ଗ୍ୟାସ୍ କମ୍ପ୍ରେସର ଷ୍ଟେସନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ପ୍ରାୟ ୪୫କୋଟି ଟଙ୍କା ବ୍ୟୟରେଧମାଜୀ ଇଞ୍ଜିନିୟରିଂ କଲେଜର ଲୋକାର୍ପଣ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତହୋଇଯାଇଛି ।
ସେହିପରି ପ୍ରାୟ ୫୫ କୋଟି ଟଙ୍କା ବ୍ୟୟରେ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ର୍ନିମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମକୁ ଆଜି ଉର୍ଜା ଏବଂ ଶିକ୍ଷା ଭିତିଭୂମି ପ୍ରକଳ୍ପ ଉପହାର ମିଳିଛି । ଉର୍ଜା ଏବଂ ଶିକ୍ଷାର ପେଣ୍ଠସ୍ଥଳି ଭାବରେ ଏହି ଅଂଚଳର ପରିଚୟକୁ ସଶକ୍ତ କରିବାକୁ ଥିବା ଏହି ପ୍ରକଳ୍ପ ଗୁଡ଼ିକ ଆସାମ ସମେତ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପୂର୍ବ ଭାରତର ପ୍ରତୀକ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରିଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ତୈଳ ଗ୍ୟାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକ ଆସାମ ସମେତ ପୂର୍ବ ଭାରତର ସାମଗ୍ରିକ ବକାଶକୁ ଆଗେଇ ନେବ । ପୂର୍ବ ଭାରତକୁ ନୂତନ ଅଭିବୃଦ୍ଧିର ସ୍ଥାୟୀ ଇଞ୍ଜିନ ଭାବରେ ପ୍ରତିଷ୍ଠା କରିବା ପାଇଁ ମୋଦି ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଲୋକାର୍ପିତ ଇଣ୍ଡିଆନ୍ ଅଏଲର ବଙ୍ଗାଇଗାଓଁ ସ୍ଥିତ ତୈଳ ବିଶୋଧନାଗାରରେ ଥିବା ଇଣ୍ଡିମାକ୍ସ ୟୁନିଟ୍, ମଧୁବନ ସ୍ଥିତ ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ, ଏବଂ ମାକୁମ ସ୍ଥିତ ଗ୍ୟାସ୍ କମ୍ପ୍ରେସର ଷ୍ଟେସନ୍ ଆସାମ ପାଇଁ ଉର୍ଜା ସୁରକ୍ଷା ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରିବ ବୋଲି ସେ କହିଛନ୍ତି ।
ଆତ୍ମନିର୍ଭର ଭାରତ ଦୂରଦୃଷ୍ଟିରେଇଣ୍ଡିଆନ୍ ଅଏଲ ଗବେଷଣା ଓ ବିକାଶ(ଆର୍ ଏଣ୍ଡ ଡି) ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ଇଣ୍ଡିମାକ୍ସ ବିକଶିତ କରାଯାଇଛି । ଏହି ଇଣ୍ଡିମାକ୍ସ ୟୁନିଟ୍ ବଙ୍ଗାଇଗାଓଁ ତୈଳ ବିଶୋଧନାଗାରର ଅଶୋଧିତ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରିବ ଏବଂ ଏହି ଅଂଚଳରେ ଏଲପିଜି ଏବଂ ଅନ୍ୟାନ୍ୟ ସ୍ୱଚ୍ଛ ଇନ୍ଧନର ଉପଲବ୍ଧିକୁବୃଦ୍ଧି କରିବ । ସେହିପରି ଅଏଲ୍ଇଣ୍ଡିଆର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ମାକୁମର ଗ୍ୟାସ ଷ୍ଟେସନ ତୈଳ ଏବଂ ଗ୍ୟାସ ପାଇଁ ସୁରକ୍ଷିତ ଏବଂ ପରିବେଶ ସହଯୋଗୀ ସଂରକ୍ଷଣ ନିଶ୍ଚିତ କରିବ । ଏହି ଅଂଚଳରେ ଉର୍ଜା ଉପଲବ୍ଧିଏବଂ ଯୋଗାଣ ନିରାପତାକୁ ସୁଦୃଢ଼ କରିବଏବଂ ଗ୍ୟାସ ଆଧାରିତ ଅର୍ଥନୀତିରେ ଭାରତକୁ ସହଯୋଗ ଦେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଇଜ୍ ଅଫ୍ ଲିଭିଂକୁ ସୁବିଧା ଦେବା ପାଇଁ ହାଇଡ୍ରୋକାର୍ବନ୍ କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଏହି ପଦେକ୍ଷପ ଆସାମ ଏବଂ ଉତରପୂର୍ବରେ ରୋଜଗାର ସୃଷ୍ଟି କରିବା ସହ ଲୋକଙ୍କ ଆକାଂକ୍ଷା ପୂରଣ କରିବ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୨୦୧୪ମସିହା ଠାରୁ ଆସାମରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ୯୫ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ପୂର୍ବ ଭାରତକୁ ସର୍ବାଧିକ ପ୍ରାଥମିକତା ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।