ଇଲେକ୍ସନ ମ୍ୟାନେଜମେଣ୍ଟ ସହ ଦଳର ସଙ୍କଟମୋଚକ ଭାବେ ପୂର୍ବରୁ ନିଜର କ୍ଷମତା ଓ ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି ଧର୍ମେନ୍ଦ୍ର । ଯେବେ ଯେବେ ଦଳ ସଙ୍କଟର ସାମ୍ନା କରିଛି, ଧର୍ମେନ୍ଦ୍ରଙ୍କୁ କ୍ରାଇସିସ ମ୍ୟାନେଜର ଭାବେ ଭରସିଛନ୍ତି ମୋଦି ଓ ଶାହ । ୟେଦିରୁପ୍ପାଙ୍କ ଇସ୍ତଫା ପରେ ୨୦୨୧ରେ କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଧର୍ମେନ୍ଦ୍ରଙ୍କ କାନ୍ଧରେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା । ଯାହାକୁ ସେ ବେଶ ସଫଳତାର ସହ ସମାପନ କରିଥିଲେ । ତେବେ ଧର୍ମେନ୍ଦ୍ରଙ୍କ ନିର୍ବାଚନ ପରିଚାଳନାର କ୍ଷମତାକୁ ୟୁପି ପ୍ରଭାରୀ ଭାବେ ସାରା ଦେଶ ଦେଖିଥିଲା । ୨୦୨୧ ୟୁପି ନିର୍ବାଚନ ମହାସମର ପାଇଁ ଧର୍ମେନ୍ଦ୍ର ପ୍ରଭାରୀ ନିଯୁକ୍ତ ହେବା ପରେ, ନିଜର ବିଚକ୍ଷଣ ସାଙ୍ଗଠନିକ କ୍ଷମତା ଓ ମାଇକ୍ରୋ ଲେଭଲ୍ ବୁଥ୍ ମ୍ୟାନେଜମେଣ୍ଟ ବଳରେ ଦଳକୁ ବମ୍ଫର ବିଜୟ ଭେଟି ଦେଇଥିଲେ ।
ସେହିପରି ପଶ୍ଚିମବଙ୍ ନିର୍ବାଚନ ବେଳେ ମମତାକୁ ଚେକ୍ ମେଟ୍ ପାଇଁ ହାଇଭୋଲଟେଜ୍ ନନ୍ଦିଗ୍ରାମ ଆସନରେ ଧର୍ମେନ୍ଦ୍ରଙ୍କୁ କରାଯାଇଥିଲା ଇଲେକ୍ସନ ଇନଚାର୍ଜ । ଏହାର ପ୍ରଭାବ ସ୍ବରୂପ ମୁଖ୍ୟମନ୍ତ୍ରୀ ମମତାଙ୍କୁ ମାତ୍ ଦେଇ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟର ସାରଥୀ ସାଜିଥିଲେ ଧର୍ମେନ୍ଦ୍ର । ସେହିପରି ୨୦୧୧ରୁ ୨୦୧୩ ଯାଏଁ କର୍ଣ୍ଣାଟକର ପ୍ରଭାରୀ ଦାୟିତ୍ବ ମଧ୍ୟ ତୁଲାଇଥିଲେ ଧର୍ମେନ୍ଦ୍ର । ୨୦୧୭ ଉତ୍ତରାଖଣ୍ଡରେ ସରକାର ଗଠନ ହେଉ କି ୨୦୧୩ରେ ଛତିଶଗଡ଼ ନିର୍ବାଚନ । ୨୦୨୦ ବିହାର ପ୍ରଭାରୀ ଭାବେ ମଧ୍ୟ ଧର୍ମେନ୍ଦ୍ର ନା କେବଳ ନିଜକୁ ପ୍ରମାଣିତ କରିଛନ୍ତି ବରଂ ବିଜେପି ବିଜୟର ଚାଣକ୍ୟ ସାଜିଛନ୍ତି ।