ଅଧିକ ପଢନ୍ତୁ : ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଦୁଇଟି ପତ୍ର
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ଦୁଇ ଦେଶ ମଧ୍ୟରେ ଉର୍ଜା ସୁରକ୍ଷା ବୃହତ ରଣନୈତିକ ପ୍ରକଳ୍ପ ‘ଭାରତ ବାଂଲାଦେଶ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନ’ ତଥା ବନ୍ଧୁତା ପାଇପଲାଇନର ଉଦଘାଟନ କରିଛନ୍ତି । ବାଂଲାଦେଶର ବିକାଶର ଏହି ଯାତ୍ରାରେ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇଛି । ୨୦୧୫ ମସିହା ଜୁନ ମାସରେ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ବାଂଲାଦେଶ ଗସ୍ତରୁ ଏହି ପ୍ରକଳ୍ପର କଳ୍ପନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ‘ନେବରହୁଡ୍ ଫାଷ୍ଟ ପଲିସି’ରେ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ମତ ପ୍ରକାଶ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ଉର୍ଜା ପ୍ରକଳ୍ପ ଜଡ଼ିତ ଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଏହି ଐତିହାସିକ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଥିବାରୁ ଶ୍ରୀ ପ୍ରଧାନ ଦୁଇ ଦେଶର ପ୍ରଧାନମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ପ୍ରକଳ୍ପ ସହ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ବନ୍ଧୁତା ପାଇପଲାଇନ ଅନ୍ୟ ଏକ ପଦକ୍ଷେପ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ମସିହା ଜୁନ ମାସରେ ବାଂଲାଦେଶ ଗସ୍ତ କରିବା ସମୟରେ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ । ପେଟ୍ରୋଲିୟମ ପାଇପଲାଇନ ଏବଂ ଉର୍ଜା ସୁରକ୍ଷା ନେଇ ଉଭୟ ଦେଶର ସମ୍ପର୍କକୁ ଦୃଢୀଭୂତ କରିବା ବିଷୟରେ ଉଲ୍ଲେଖ କରିବା ବେଳେ ଏହି ପ୍ରକଳ୍ପ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ । ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କଳ୍ପନା ଓ ବିଚାରକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଉଭୟ ଦେଶ ମଧ୍ୟରେ ପାଇପଲାଇନ ନେଇ ଆଲୋଚନା ସମୟରେ ପ୍ରଥମେ ଟ୍ରେନ୍ ଯୋଗେ ଇନ୍ଧନ ପରିବହନ ନେଇ ଚିନ୍ତା କରାଯାଇଥିଲା । ୨୦୧୬ ମାର୍ଚ୍ଚ ୧୭ରେ ଶ୍ରୀ ପ୍ରଧାନ ସିଲିଗୁଡିରୁ ବାଂଲାଦେଶକୁ ଟ୍ରେନ୍ ଜରିଆରେ ହାଇସ୍ପିଡ୍ ଡିଜେଲ ପରିବହନର ଶୁଭାରମ୍ଭ କରିଥିଲେ, ଯାହା ୨୦୧୭ରେ ବାଣିଜ୍ୟିକ ବ୍ୟବସାୟରେ ପରିଣତ ହୋଇଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୬ ମସିହା ଏପ୍ରିଲ ମାସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢାକା ଗ୍ରସ୍ତ ସମୟରେ ଅନେକ ଉର୍ଜା ପ୍ରକଳ୍ପ ସମେତ ବନ୍ଧୁତା ପାଇପଲାଇନ ବିଷୟରେ ଆଲୋଚନା କରିବା ସହ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ଅସୀନା ଓ ଷ୍ଟେକହୋଲ୍ଡରଙ୍କ ସହ ସାକ୍ଷାତ୍ କରିଥିଲେ । ୨୦୧୭ ଏପ୍ରିଲ ମାସରେ ଏନଆରଏଲ ଏବଂ ବିପିସି ମଧ୍ୟରେ ଭାରତରୁ ବାଂଲାଦେଶକୁ ପାଇପଲାଇନ ମାଧ୍ୟମରେ ହାଇସ୍ପିଡ୍ ଡିଜେଲ୍ ପ୍ରଦାନ କରିବା ନେଇ ଦୀର୍ଘମିଆଦି କାରବାର ସମ୍ବନ୍ଧୀୟ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।
ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ କ୍ରିୟାନ୍ୱୟନ ହେବା ନେଇ ୨୦୧୮ ମସିହା ସେପ୍ଟେମ୍ବର ୧୮ରେ ଭାରତ-ବାଂଲାଦେଶ ଉତ୍ପାଦ ପାଇପଲାଇନ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । କୋଭିଡ୍ ମହାମାରୀର ବିଳମ୍ବ ସତ୍ତ୍ୱେ ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରାଯିବା ସହ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ।