ଶନିବାର ଭୁବନେଶ୍ୱର ସୋଆ କ୍ୟାମ୍ପସ ଠାରେ ଲାଇଭଲି ହୁଡ୍ସ ଓଡ଼ିଶା ଚିନାବାଦାମ କୃଷକଙ୍କ ଚାଷ ସମ୍ବନ୍ଧୀୟ ଗୁଜରାଟ ପରିଦର୍ଶନର ଉଦବୋଧନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କହିଛନ୍ତି ଯେ ଗୁଜୁରାଟର ଚାଷ ଜମି ଏବଂ ଓଡିଶାର ଚାଷ ଜମି ଅଞ୍ଚଳ ପାଖାପାଖି ସମାନ । କିନ୍ତୁ ଗୁଜୁରାଟ ଅପେକ୍ଷା ଓଡିଶାରେ ପାଣିର ସୁବିଧା ଏବଂ ଉର୍ବର ଜମି ଅଧିକ ଅଛି । ହେଲେ ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ବାର୍ଷିକ ୪ ଲକ୍ଷ ମେଟ୍ରିକ ଟନ ଚିନାବାଦାମ ଉତ୍ପାଦନ ହେଉଥିବା ବେଳେ ଗୁଜୁରାଟରେ ୩୦ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହେଉଛି । ଓଡିଶାର ଚିନାବାଦାମର ସ୍ୱାଦ ମିଠା । ଏହାର ବଜାର ମୂଲ୍ୟ ଅଧିକ । ୧୦ ଦିନିଆ ଗୁଜରାଟ ଯାଉଥିବା ଚାଷୀମାନେ ସେଠାରେ ପ୍ରୟୋଗ ହେଉଥିବା ଟେକ୍ନୋଲୋଜି, ପଦ୍ଧତି, ଉନ୍ନତ ଜ୍ଞାନକୌଶଳ ଓ ବଜାର ବ୍ୟବସ୍ଥା ଦେଖିବେ । ମୋଦି ମଡେଲ ତଥା ଗୁଜୁରାଟ ମଡେଲ ଦେଖି ଓଡିଶା ଚାଷୀ ସେମାନଙ୍କର ଜ୍ଞାନ ବଢ଼ାଇ ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଭାରତ ସରକାରଙ୍କ ଦ୍ୱାରା ନାଫେଡ଼ ପାଖାପାଖି ୧୦୦ଟି କୃଷକ ଉତ୍ପାଦକ ସଙ୍ଗଠନ ବା ଏଫପିଓ ଗଠନ କରିଛି । ବାଦାମ ଚାଷ ଉପରେ ଯେଉଁ ଏଫପିଓ କାମ କରୁଛି, ନାଫେଡ ସହଯୋଗରେ ସୋଆର ବିଶେଷଜ୍ଞଙ୍କୁ ନେଇ ସେମାନଙ୍କ ଉଦ୍ୟମରେ ଓଡିଶାର ଚିନାବାଦାମ ଚାଷୀ ଗୁଜରାଟ ଯିବା ପ୍ରଶଂସନୀୟ । ଓଡ଼ିଶାରେ ଚାଷୀ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ହେଲେ ସେମାନଙ୍କୁ ବାହାର ଦୁନିଆ ଦେଖାଇବା ପାଇଁ ପଡିବ । ଏଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର । ଚାଷକୁ ବ୍ୟବସାୟିକ ଭାବେ ସଫଳ କରିବା ପାଇଁ ଚାଷୀମାନେ ସଂକଳ୍ପ କରିବା ଦରକାର । ଆଗାମୀ ଦିନରେ ସବୁ ଏଫପିଓ ମାନଙ୍କୁ ଏକାଠୀ କରି ଚାଷ କାର୍ଯ୍ୟର ସାଧାରଣ ଦିଗ ଗୁଡିକ ଉପରେ ବିଚାମବିମର୍ଷ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଏହାବ୍ୟତିତ ଚାଷୀ ମାନେ ଗୁଜରାଟର ଦ୍ୱାରିକା, ସୋମନାଥ, ଷ୍ଟାଚ୍ୟୁ ଅଫ୍ ୟୁନିଟି ପରି ଐତିହ୍ୟ ସ୍ଥଳୀ ଗସ୍ତ କରିବେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭାରତ, ଶ୍ରେଷ୍ଠ ଭାରତ କଳ୍ପନାକୁ ପୂରଣ କରିବ ବୋଲି ସେ କହିଛନ୍ତି ।