ଶନିବାର ଗୁଜରାଟର ବଡନଗର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବହମୁଖୀ ସଭାଗୃହର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨ ହଜାର ୫୦୦ ବର୍ଷ ପୁରୁଣା ବଡନଗର ସମୃଦ୍ଧ ଇତିହାସ, ଧାର୍ମିକ ସ୍ୱତନ୍ତ୍ରତା ଏବଂ ସହିଷ୍ଣୁତାର ମୁକସାକ୍ଷୀ । ବଡ଼ନଗର ଭଳି ଆମ ଦେଶର ସମୃଦ୍ଧ ଐତିହ୍ୟକୁ ଆହୁରି ଆଗକୁ କିଭଳି ନିଆଯାଇପାରିବ, ଏ ଦିଗରେ ନୂଆପିଢିକୁ ଚିନ୍ତା କରିବାର ଆବଶ୍ୟକତା ରହିଛି । ବିକଶିତ ଭାରତର କଳ୍ପନାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ବହୁତ ବଡ଼ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ନୂଆ ଜାତୀୟ ଶିକ୍ଷା ନୀତିରେ ନୂଆପିଢିଙ୍କୁ ବୈଶ୍ୱିକ ନାଗରିକ ଭାବେ ପରିଣତ କରିବାର ସାମର୍ଥ୍ୟ ରହିଛି । ଭାରତର ଲୋକମାନେ ବିଶ୍ୱର ଦାୟିତ୍ୱ ନେବା ପାଇଁ ଇଚ୍ଛୁକ ଅଛନ୍ତି । ଆମେ ଦୁନିଆର ଦାୟିତ୍ୱ ସେବେ ନେବା ଯେବେ ଆମେ ଆମର ଦାୟିତ୍ୱକୁ ବୁଝିବା । ଏଥିପାଇଁ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ଜାତୀୟ ଶିକ୍ଷା ଆଧାରରେ ଆଗାମୀ ପିଢ଼ିକୁ ପ୍ରସ୍ତୁତ କରିବା ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜ୍ଞାନ, ଆଧ୍ୟାତ୍ମିକ, ବୈଭବ, ସଭ୍ୟତା ଏବଂ ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ର ହେଉଛି ବଡନଗର । ଏକବିଂଶ ଶତାବ୍ଦୀର ନେତୃତ୍ୱ ପ୍ରଦାନ କରିବାକୁ ଥିବା ବିଦ୍ୟାର୍ଥୀଙ୍କ ପାଇଁ ଆଜି ବହୁମୁଖୀ ସଭାଗୃହ ଭଳି ସୁବିଧାର ଲୋକାର୍ପଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯଦି ଇଚ୍ଛାଶକ୍ତି ଅଛି ତେବେ ବ୍ୟବସ୍ଥା ମାଧ୍ୟମରେ ବଡ଼ ପରିଣାମ ଆସିପାରିବ । ବଡନଗରର ଏହି ନବୋଦୟ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ । ଏଠାକୁ ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ପିଲାମାନେ ପାଠପଢ଼ି ଭଲ ମଣିଷ ହୁଅନ୍ତି । ବଡନଗରରେ ଏହି ସଂସ୍କାର ଅଛି ଯେ, ସାଧାରଣ ଘରର ଲୋକ ଆଜି ଦେଶର ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଆଜି ମୋଦି ଭାରତର ନୁହଁ ବରଂ ବିଶ୍ୱ ନେତା ଅଟନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସେହିପରି ବଡନଗର ଷ୍ଟେସନ ପରିସରରେ ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ଚା’ ଦୋକାନ ଥିବା ସ୍ଥାନ କେନ୍ଦ୍ରମନ୍ତ୍ରୀ ବୁଲିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାରୁ ପ୍ରେରଣାଦାୟୀ ଜୀବନ ଯାତ୍ରା ଆରମ୍ଭ କରିଥିଲେ, ସେ ସ୍ଥାନ ଦେଖିବା ମୋ ପାଇଁ ଗର୍ବର କଥା । ବଡନଗର ରେଳ ଷ୍ଟେସନ ନିକଟସ୍ଥ ଚା’ ଦୋକାନ ଯେଉଁଠାରେ ଛୋଟବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବାପାଙ୍କୁ ଚା’ ବିକ୍ରୀରେ ସହଯୋଗ କରୁଥିଲେ । ଏହା ହେଉଛି ନିଷ୍ଠା, ସାହସ ଏବଂ ପରିଶ୍ରମର ଏକ ପ୍ରମାଣ । ତତସହ ଏହା ପ୍ରମାଣ ହେଉଛି, ଯେକୌଣସି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜଣେ ସଫଳ ହୋଇପାରିବ ଏବଂ ଲକ୍ଷାଧିକ ଲୋକଙ୍କ ଆଶାର କିରଣ ହୋଇପାରିବ ।
ଏହି ଗୁଜରାଟ ଗସ୍ତ କାଳରେ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ର ସହ ସମ୍ବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବଡନଗର ସ୍ଥିତ ପ୍ରେରଣା ସ୍କୁଲ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ପ୍ରେରଣା ସ୍କୁଲ ପ୍ରକଳ୍ପ ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବ ଏବଂ ଶିକ୍ଷା ଅଧିକାରୀଙ୍କ ସହ ବୈଠକ କରିଥିଲେ । ଏହାବ୍ୟତିତ ବଡନଗର ସ୍ଥିତ ହଟକେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦର୍ଶନ କରିବାର ଲାଭ କରିଥିଲେ ।