ମେ’ ୧୦ତାରିଖ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ୍ ଗଣତି ହେବ। ତେଣୁ ଏହି ଭୋଟଗ୍ରହଣକୁ ଆଖି ଆଗରେ ରଖି ଶିବକୁମାର ପ୍ରସ୍ତୁତ ଥିବା କହିଥିବା ବେଳେ, ଏହା କେମିତିକା ପ୍ରସ୍ତୁତି ଆପଣ ଏବେ ଠିକ୍ ବୁଝି ପାରୁଥିବେ।
ଭାଇରାଲ ଦୃଶ୍ୟରେ ଆପଣ ଶିବକୁମାରଙ୍କୁ ହିଁ ଦେଖୁଛନ୍ତି। ଯେଉଁଥିରେ ସେ ଲୋକମାନଙ୍କ ଉପରକୁ ନୋଟ୍ ଉଡାଉଥିବାର ଦେଖିବାକୁ ମିଳିଛି । ଦୃଶ୍ୟ ଗଲା ମଙ୍ଗଳବାରର। ସ୍ଥାନୀୟ ମାଣ୍ଡ୍ୟା ଜିଲ୍ଲାରେ ହୋଇଥିବା ଡିକେ ରାଲିରେ ଏଭଳି କାଣ୍ଡ ଭିଆଇଛନ୍ତି ଶିବକୁମାର। କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଶିବକୁମାର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି। ୨୦୧୮ ନିର୍ବାଚନରେ ଜେଡିଏସ୍ ଜିଲ୍ଲାର ୭ଟି ଆସନରେ ବିଜୟୀ ହୋଇଥିଲା। ଆଉ ଏଥର ଏହି ଦୁର୍ଗ ଭେଦ କରିବାକୁ କଂଗ୍ରେସ ଉଦ୍ୟମ କରୁଛି ।
୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ କଂଗ୍ରେସ ନିଜର ପ୍ରଥମ ତାଲିକାରେ ୧୨୪ ଜଣ ପ୍ରାର୍ଥୀ ଘୋଷଣା କରିଛି। ଚଳିତ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୨୧ ଟି ଆସନ ରହିଛି । କଂଗ୍ରେସର ୭୦ ଓ ଜେଡିଏସ୍ ପାଖରେ ୩୦ ଆସନ ରହିଛି। ୨୦୧୮ରେ ବିଜେପି ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ରହିବା ପରେ କଂଗ୍ରେସ ଓ ଜେଡିଏସ୍ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସ ଓ ଜେଡିଏସ୍ ସରକାର ଭାଙ୍ଗିବା ପରେ ବିଜେପି ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କୁ ପରେ ମନ୍ତ୍ରୀ କରାଯାଇଥିଲା ।