ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସମ୍ପତ୍ ଦାସ କହିଛନ୍ତି ଯେ, ୩ୟ ଲହରରେ ସବୁ ବୟସର ଲୋକ ଆକ୍ରାନ୍ତ ହେଉଛନ୍ତି। ମାନେ ଏହା ଅନ୍ୟ ଲହରଠାରୁ ଅଧିକ ସଂକ୍ରାମକ। ଦେଖାଯାଉଛି ୩ୟ ଲହରରେ କରୋନା ସଂକ୍ରମିତ ହେଲେ ୨ ବା ୩ଦିନରେ ଜର ଛାଡି ଯାଉଛି। ଯାହାକୁ ନେଇ ସମସ୍ତ ଆସ୍ବସ୍ଥ ହୋଇପଡୁଛନ୍ତି। କିନ୍ତୁ ସେଭଳି ହେବା କଥା ନୁହେଁ। ଆପଣଙ୍କ ଜର ଛାଡି ଯାଉଥିଲେ ବି ସତର୍କ ରହିବାକୁ ପଡିବ। ଅଯଥାରେ ମନଇଚ୍ଛା ଆଣ୍ଟିବାୟୋଟିକ୍ କିମ୍ବା ଥଣ୍ଡା ଜର ଔଷଧ ଖାଇବା ଆଦୌ ଉଚିତ୍ ନୁହେଁ।
ସବୁ ବୟସ ବର୍ଗର ଲୋକେ ଏହି କରୋନାରେ ଆକ୍ରାନ୍ତ ହେଉଥିଲେ ବି ୭୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ମାରାତ୍ମକ ହୋଇପାରେ। ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦରୋଗୀ ତଥା ସ୍ନାୟୁରୋଗ ବା ନ୍ୟୁରୋଲୋଜିକାଲ ଡିଜିଜ୍ ଭୋଗୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଅଡୁଆ ସୃଷ୍ଟିକରିପାରେ। ଏପରିକି ଅକ୍ସିଜେନ୍ ଓ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟ ପଡିପାରେ। ଏଣୁ ଯଥା ସମ୍ଭବ ସତର୍କ ରହିବାକୁ ପଡିବ।
୨ୟ ଓ ୩ୟ ଲହରକୁ ତୁଳନା କଲେ, ୨ୟ ଲହରରେ ପ୍ରଥମେ ଜର ହୋଇ କମ୍ପ ଆସୁଥିଲା ଓ ବେଶି ଦିନ ରହୁଥିଲା। କିନ୍ତୁ ୩ୟ ଲହରରେ ଓମିକ୍ରିନ ଆକ୍ରାନ୍ତ ହେଲେ ବାନ୍ତି ହେବା, ଝାଡା ଲାଗିବା, ଅସ୍ବଭାବିକ ଆଚରଣ ପ୍ରଦର୍ଶନ କରିବା ଭଳି ଲକ୍ଷଣ ଦେଖାଯାଇଛି। କାଶ ହେବା, ଖାଇବା ଛାଡିଦେବା ଭଳି ଇଚ୍ଛା ଆସିବା, ଦୁର୍ବଳ ଅନୁଭବ ହେଲା ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି। ଏପରିକି ବୟସ୍କଙ୍କ କ୍ଷେତ୍ରରେ ପିଠି, ଅଣ୍ଟା ଆଦି ବିନ୍ଧିବା ସମସ୍ୟା ଦେଖା ଦେଉଛି। ଯାହା ବେଶିଦିନ ରହିଲେ ଆପଣ ଗୁରୁତର ଅସୁବିଧାରେ ପଡିପାରନ୍ତି। ଏଣୁ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ପଡିବ।
ଆପଣ ଓମିକ୍ରିନ୍ ଆକ୍ରାନ୍ତ ହେଲେ ୭ ଦିନ ସଙ୍ଗରୋଧରେ ରୁହନ୍ତୁ। ମାସ୍କ ବ୍ୟବହାର କରନ୍ତୁ, ନ ଚେତ୍ ଆପଣଙ୍କଠାରୁ ଅନେକଙ୍କୁ ଏହା ସଂକ୍ରମିତ ହୋଇପାରେ ବୋଲି ଦାସ କହିଛନ୍ତି।