ଗତ ଜାନୁୟାରୀ ମାସ 25 ତାରିଖ ଦିନ ସୋସିଆଲ ମିଡିଆ କମ୍ପାନୀ ମେଟା ଟ୍ରମ୍ପଙ୍କର ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପୁଣି ଥରେ ରିଷ୍ଟୋର କରିବାକୁ ଘୋଷଣା କରିଥିଲା । 2021 ମସିହା ଜାନୁୟାରୀ ମାସ 6 ତାରିଖ ଦିନ ଆମେରିକୀୟ ସଂସଦରେ ହୋଇଥିବା ହିଂସା ପରେ କମ୍ପାନୀ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ଲକ କରି ଦେଇଥିଲେ। ପାଖାପାଖି ଦୁଇ ବର୍ଷ ପରେ ତାଙ୍କର ସୋସିଆଲ ମିଡିଆରେ ପ୍ରତ୍ୟାବର୍ତ୍ତନ ହୋଇଛି ।
ଫେସବୁକରେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ମେଟା ଗ୍ଲୋବାଲ ଆଫାୟାର୍ସର ପ୍ରେସିଡେଣ୍ଟ ନିକ କ୍ଲେଗ କହିଥିଲେ ଯେ - ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ନୂଆ ନିୟମ ସହିତ ରିଷ୍ଟୋର କରି ଦିଆଯିବ । ତାଙ୍କର ଆକାଉଣ୍ଟ ଆମର କମ୍ୟୁନିଟି ଷ୍ଟାଣ୍ଡାର୍ଡର ଅଧୀନରେ ରହିଛି । ଯଦି ସେ ପୁଣି ଥରେ ହିଂସା ପୋଷ୍ଟ କରିବେ ତେବେ ତାଙ୍କର ପୋଷ୍ଟକୁ ପ୍ଲାଟଫର୍ମରୁ ହଟାଇ ନିଆଯିବ । ଏହା ସହିତ ତାଙ୍କର ଆକାଉଣ୍ଟ ଉପରେ ମଧ୍ୟ କଟକଣା ଲଗାଯିବ ।
2021 ମସିହା ଜାନୁୟାରୀ ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଟ୍ରମ୍ପଙ୍କ ସମର୍ଥକ ମାନେ ହିଂସା କରିଥିଲେ । ଏହି ହିଂସାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ ଟ୍ରମ୍ପଙ୍କ ଉପରେ ହିଂସା ଉଦ୍ରେକ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯାଇଥିଲା ।
କ୍ୟାପିଟାଲ ହିଲ ହିଂସା ପରେ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ମିନିଟ ବିଶିଷ୍ଟ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହାକୁ ଫେସବୁକ ଓ ୟୁଟ୍ୟୁବ ହଟାଇ ଦେଇଥିଲେ । ସେତେବେଳେ ଫେସବୁକର ଭାଇସ ପ୍ରେସିଡେଣ୍ଟ ଗୁଏ ରୋଜେନ କହିଥିଲେ ଯେ ଏହା ଜରୁରୀକାଳୀନ ପରିସ୍ଥିତି । ଟ୍ରମ୍ପଙ୍କ ଏହି ଭିଡିଓ ହିଂସାକୁ ଆହୁରି ବଢାଇ ପାରେ ।
ଫେସବୁକର ଏହି କାର୍ଯାନୁଷ୍ଠାନକୁ ଡୋନାଲ୍ଡ ଟ୍ରମ୍ପ ବିରୋଧ କରିଥିଲେ ଓ କହିଥିଲେ ଯେ ଏହା ଆମେରିକୀୟ ନାଗରିକ ମାନଙ୍କର ଅସମ୍ମାନ ।
ଅଧିକ ବିଦେଶ ଖବର ପଢ଼ନ୍ତୁ