
ଆଗ୍ରା : ଭାରତରେ ପହଁଚିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର। ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଆଗ୍ରାର ତାଜମହଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମିଲେନିଆ, ଝିଅ ଇବାଙ୍କା ଓ ଜ୍ଵାଇଁଙ୍କ ସହ ତାଜମହଲ ପରିଦର୍ଶନ କରିବେ। ଏଥିପାଇଁ ଆଗ୍ରାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରମ୍ପ ଏବଂ ତାଙ୍କ ପରିବାର ତାଜମହଲର ସେହି ରଙ୍ଗ, ସେହି ରୂପ ଉପଭୋଗ କରି ପାରିବେ ଯାହା ୧୯୮୦ ଦଶକରେ ଥିଲା।
ଟ୍ରମ୍ପ-ମିଲେନିଆଙ୍କ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସମୟର ଚକା ପଛକୁ ଘୂରାଇଛନ୍ତି। ତାଜମହଲର ସୁରକ୍ଷା ପାଇଁ ସମୟ ସହ ଭାରତୀୟ ପ୍ରତ୍ନତତ୍ତ୍ଵ ଯେଉଁ ବ୍ୟବସ୍ଥା କରିଥିଲେ, ସେସବୁ ରାଷ୍ଟ୍ରପତି ଟ୍ରମ୍ପ-ମିଲେନିଆଙ୍କ ପାଇଁ ହଟାଯାଇଛି। ତାଜମହଲର ମୁଖ୍ୟ ଗମ୍ବୁଜ, ଜସ୍ମିନ ଚଟାଣ, ରୟାଲ ଗେଟରୁ ରେଲିଂ ହଟାଯାଇଛି। ଏହାର ପ୍ରତିବଦଳରେ ପୂର୍ବ ଭଳି ଫୁଲ କୁଣ୍ଡରେ ସଜେଇ ହୋଇଛି ତାଜମହଲ। ଚାରିପଟେ ଲାଗିଥିବା ଚିକମିକ୍ ମାର୍ବଲ ଜାରି ସଫା କରାଯାଇଛି।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଜମହଲର ପ୍ରଥମ ଝଲକ ରୟାଲ ଗେଟର ନାଲି ସ୍ୟାଣ୍ଡ ଷ୍ଟୋନ ପ୍ଲାଟଫର୍ମରୁ ଯେତେବେଳେ ଦେଖିବେ ସେତେବେଳେ ଫୁଲର ସୁଗନ୍ଧ ମଧ୍ୟରେ ତାଙ୍କ ସହ ମିଲାନିଆ ଥିବେ। ୧୯୮୦ ଦଶକରେ ତାଜମହଲରେ ରୟାଲ ଗେଟର ଚଟାଣରେ ଫୁଲ କୁଣ୍ଡ ରଖାଯାଉଥିଲା। ସମୟ ସବୁ କିଛିରେ ପରିବର୍ତ୍ତନ ଆସିଥିଲା। ଏହି ପର୍ଯ୍ୟଟନୀ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା କାରଣରୁ ଏଠାରୁ ଫୁଲକୁଣ୍ଡ ହଟାଯାଇଥିଲା।
ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ନାଲି ସ୍ୟାଣ୍ଡ ଷ୍ଟୋନରେ ଲିଲି, ଗେଣ୍ଡୁ, ସୂର୍ୟ୍ୟମୁଖୀ, ଗୋଲାପ, ମେରିଗୋଲ୍ଡ, କ୍ଲାର୍କିଆ ସମେତ ୨୫ ପ୍ରଜାତିର ରଙ୍ଗ ବେରଙ୍ଗ ଫୁଲ ଲଗାଯାଇଛି। ସେଣ୍ଟ୍ରାଲ ଟ୍ୟାଙ୍କ ଏବଂ ଏହାର ପାଥୱେରେ ସାଇପ୍ରସ ଗଛ ଗୁଡ଼ିକୁ ଛୋଟ କରାଯାଇଛି ଏବଂ ଗାସରେ ଡିଜାଇନ ପ୍ରସ୍ତୁତ କରାଯାଇଛି। ସେଣ୍ଟ୍ରାଲ ଟ୍ୟାଙ୍କର ଦୁଇ ପାର୍ଶ୍ଵରେ ହଳଦୀ ରଙ୍ଗର ଫୁଲ ତାଜମହଲର ଶୋଭା ଅଧିକ ବର୍ଦ୍ଧନ କରୁଛି। ତାଜମହଲ ଏବେ ପୂର୍ବ ଭଳି ଚମକୁଛି ଯେପରି ୪୦ ବର୍ଷ ପୂର୍ବେ ଚମକୁଥିଲା।

