ଜୀବନର ଝଡ଼ ଭିତରେ ଅଣ୍ଟା ସଳଖି ଦମ୍ଭ ଧରିଥିବା ଦ୍ରୌପଦୀଙ୍କ ଜନ୍ମ ହୋଇଥିଲା ୧୯୫୮ ଜୁନ୍ ୨୦ରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବଡ଼ୋ ଗାଁରେ । ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଅଧିକ ପଢ଼ିବା ପାଇଁ ଇଚ୍ଛୁକ ହୋଇଥିଲେ ଦ୍ରୌପଦୀ । କିନ୍ତୁ ସୁଯୋଗ ନଥିଲା । ସମ୍ପର୍କୀୟ ଦାଦା କାର୍ତ୍ତିକ ଚନ୍ଦ୍ର ମାଝୀ ଭୁବନେଶ୍ବରରେ ମନ୍ତ୍ରୀ ଥିବାରୁ ତାଙ୍କ ଉଦ୍ୟମରେ ୧୯୭୦ରେ ଭୁବନେଶ୍ବରରେ ଆସିଲେ ଦ୍ରୌପଦୀ । ୟୁନିଟ-୨ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ସହ ଆଦିବାସୀ ଛାତ୍ରୀନିବାସରେ ରହିଲେ । ୧୯୭୪ରେ ମାଟ୍ରିକ ପାସ୍ କରିବା ପରେ କଲେଜରେ ପଢ଼ିବାକୁ ଆବଦେନ କରାଯାଏ ବୋଲି ଜାଣିନଥିଲେ । ତେଣୁ ଗୋଟିଏ ବର୍ଷ ଅପେକ୍ଷା ପରେ ରମାଦେବୀରେ ନାମ ଲେଖାଇଲେ ଦ୍ରୌପଦୀ । ହଷ୍ଟେଲରେ ରହି ପଢ଼ୁଥିବା ବେଳେ ଗାଁରୁ ଆସୁଥିଲା ୧୦ ଟଙ୍କା । ପାଖରେ ଟଙ୍କା ନଥିବାରୁ ବଜାର, ସିନେମା ତ ସ୍ବପ୍ନର କଥା କଲେଜ କ୍ୟାଣ୍ଟିନ ମଧ୍ୟ ଯାଉନଥିଲେ । ଭୁବନେଶ୍ବରରେ ୮ ବର୍ଷର ଛାତ୍ରୀ ଜୀବନ ମଧ୍ୟରେ ମାତ୍ର ଗୋଟିଏ ସିନେମା ଦେଖିଥିଲେ ଦ୍ରୌପଦୀ । ରବି ଟକିଜରେ ଗପ ହେଲେ ବି ସତ ଦେଖିଥିବା ଦ୍ରୌପଦୀଙ୍କ ପାଇଁ ଆଜି ସତରେ ଗପ ବି ସତ ହୋଇଛି ।
୧୯୭୯ରେ ସଚିବାଳୟରେ ଚାକିରି ଜୀବନ ଆରମ୍ଭ କରିଥିଲେ । କୁସୁମୀ ପାହାଡ଼ପୁରର ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ସେ ଦ୍ରୌପଦୀ ଟୁଡୁରୁ ପାଲଟିଥିଲେ ଦୌପଦୀ ମୁର୍ମୁ । ବିଜୟୀ ହେଲେ ଏବେ ରାଇରଙ୍ଗପୁରର ଏକ ଆଦିବାସୀ ଅଧ୍ୟୁଷିତ ଗାଁରୁ ରାଇସେନା ହିଲ୍ ଯିବେ ଦ୍ରୌପଦୀ । ପ୍ରଥମ ଓଡ଼ିଆଣୀ ଭାବେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବେ । ସେ ଯାହା ବି ହେଉ, ଦୁଃଖ ଆଉ ଲୁହକୁ ଅସ୍ତ୍ର କରି ଜୀବନ ମହାଭାରତରେ ବିଜୟିନୀ ବନିଥିବା ଏହି ମହୀୟସୀ ମହିଳାଙ୍କ ପାଇଁ ଆଜି ପ୍ରତ୍ୟେକଟି ଓଡ଼ିଆ ଗର୍ବିତ ଓ ଗୌରବାନ୍ବିତ ।