ଦିଲ୍ଲୀ ବିମାନ ବନ୍ଦରରୁ ବାହାରି ଦ୍ରୌପଦୀ ସିଧା ପହଂଚିଥିଲେ ଓଡିଶା ଭବନରେ । ଓଡିଶା ଭବନରେ କଡା ସୁରକ୍ଷା ବ୍ୟବସ୍ଥା । ମୁତୟନ ହୋଇଛନ୍ତି ଦିଲ୍ଲୀ ପୋଲିସର ଯବାନ । ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ କରି ଯାଂଚ କରାଯାଇଛି । ଓଡିଶା ଭବନରେ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ । ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କର ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟରରେ ଲେଖିଛନ୍ତି, ଦ୍ରୌପଦୀ ମୁର୍ମୁଜୀଙ୍କୁ ସାକ୍ଷାତ କଲି। ତାଙ୍କ ନାମାଙ୍କନକୁ ସମାଜର ସମସ୍ତ ବର୍ଗର ଭାରତୀୟମାନେ ପ୍ରଶଂସା କରିଛନ୍ତି । ତୃଣମୂଳ ସ୍ତରର ସମସ୍ୟା ଏବଂ ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଉଲ୍ଲେଖନୀୟ।
ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ପ୍ରଥମ ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ତାଙ୍କ ସହିତ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେପଟେ ଦ୍ରୌପଦୀଙ୍କ ନୋମିନେସନ ବେଳେ ଉପସ୍ଥିତ ରହିବେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ । ସଡ଼କ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ଉଭୟ ମନ୍ତ୍ରୀ ନାମାଙ୍କନ ପତ୍ରରେ ଦସ୍ତଖତ ମଧ୍ୟ କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଫୋନ୍ କରି ତାଙ୍କୁ ଆସନ୍ତାକାଲି ନୋମିନେସନ ବାବଦରେ କଥା ହୋଇଥିବା ନବୀନ ଟ୍ବିଟରରେ ହ୍ୟାଣ୍ଡେଲରେ ଲେଖିଛନ୍ତି ।