ଅର୍ଗସ ବ୍ୟୁରୋ: ପାକିସ୍ତାନର ପିଛା ଛାଡୁନି ସଙ୍କଟ । ଦେଶରେ ଆର୍ଥିକ ସ୍ଥିତି ସଙ୍ଗୀନ ହେବାକୁ ଯାଉଛି । ପାକିସ୍ତାନ ବଜାରରେ କ୍ଷୀର ଲିଟର ପ୍ରତି ଦର 210 ଟଙ୍କାରେ ପହଞ୍ଚିଥିବାବେଳେ ଚିକେନ ଦର 780 ଟଙ୍କାରେ ପହଞ୍ଚିଛି । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ସହାୟତା ବନ୍ଦ ହେବା ପରେ ପାକିସ୍ତାନରେ ଖାଦ୍ୟ ପଦାର୍ଥ ଦର ଦାମ ଆକାଶ ଛୁଆଁ ହୋଇଛି । ସାଧାରଣ ଲୋକଙ୍କ ଖାଦ୍ୟ ଆବଶ୍ୟକତା ମେଣ୍ଟି ପାରୁନଥିବାରୁ ସରକାର ପ୍ରତିରକ୍ଷା ବଜେଟ କମାଇବାକୁ ଯୋଜନା କରୁଛନ୍ତି । ଏପରିକି ବଜାରରେ ତୈଳ ମଧ୍ୟ ମିଳୁନାହିଁ । ତେଲ ଟାଙ୍କି ଖାଲି ପଡ଼ିଛି । ସରକାର ପୁଣି ଥରେ ଟ୍ୟାକ୍ସ ବଢାଇବାକୁ ଘୋଷଣା କରିଥିବାରୁ ଦେଶର ବିଭିନ୍ନ ସ୍ଥାନରେ ସରକାରଙ୍କ ବିରୋଧରେ ସ୍ୱକ ତୀବ୍ର ହେଉଛି ।
ଅନ୍ୟପଟେ ପାକିସ୍ତାନକୁ ସ୍ୱଳ୍ପ ଅର୍ଥ ଯୋଗାଇ ଦେବା ଲକ୍ଷ୍ୟରେ ଗତ 10 ଦିନ ଧରି ପାକିସ୍ତାନ ଆସିଥିବା ଆଇଏମଏଫ ଟିମ୍ ଫେରିଯାଇଥିବା ବେଳେ ପାକିସ୍ତାନ ସରକାରଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହୋଇଛି । ଫଳରେ ପାକିସ୍ତାନକୁ ତ୍ୱରିତ ଋଣ ମିଳିବା ସମ୍ଭବ ହୋଇନାହିଁ । ଫଳରେ ପାକିସ୍ତାନ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡିଛି ।
ଆଉ ମାତ୍ର କିଛି ଦିନ ମଧ୍ୟରେ ପାକିସ୍ତାନବାସୀଙ୍କୁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା ମଧ୍ୟ ସ୍ୱପ୍ନ ହୋଇଯିବାର ଆଶଙ୍କା ଦେଖାଦେଇଛି । ଏପରିକି ଶ୍ରୀଲଙ୍କା ଠାରୁ ଆହୁରି ଜଟିଳ ସ୍ଥିତି ସୃଷ୍ଟି ହୋଇଛି ।