ଗୁଜରାଟ ଦେଶର ରାଜନୀତିର ସବୁଠୁ ବିତର୍କିତ ରାଜ୍ୟ । ଯେଉଁଠାରୁ ମୋଦି ମୁଖ୍ୟମନ୍ତ୍ରୀ ଥାଉଥାଉ ସିଧା ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ । ଗୁଜରାଟ ବିଜୟ ପରାଜୟ ସହ ମୋଦି ଓ ମୋଦିଙ୍କ ବିକାଶ ମଡେଲ୍ ସବୁବେଳ ଥାଏ ଚର୍ଚ୍ଚାରେ । ଏଥର ଚର୍ଚ୍ଚା ଏକଜିଟ୍ ପୋଲର ଆକଳନ ବିଜେପି କେବଳ ସବୁ ରେକର୍ଡ ଭାଙ୍ଗି ସପ୍ତମ ଥର ଗାଦି ଦଖଲ କରିବନି ବରଂ ସାତ ଥରର ରେକର୍ଡ ଭାଙ୍ଗି ସର୍ବାଧିକ ଆସନ ହାତେଇବ । କଂଗ୍ରେସ ଇତିହାସରେ ସବୁଠୁ କମ୍ ସିଟରେ ବିଜୟ ହାସଲ କରିବ । ଆମ୍ ଆଦମୀ ପାର୍ଟିର ସରକାରକୁ ଆସିବାର ଦାବି ପମ୍ପଚର ହେବା ନିଶ୍ଚିତ ବୋଲି ଏକଜିଟ୍ ପୋଲର ଆକଳନ କହୁଛି ।
ହିମାଚଳରେ ଗୋଟିଏ ଦଳ ଲଗାତାର ଦ୍ବିତୀୟ ପାଳି କେବେ ବି ସରକାର ଗଢ଼ିବାରେ ସମର୍ଥ ହୋଇନି । କଂଗ୍ରେସର କମବ୍ୟାକର ଜୋରଦାର ପ୍ରଚେଷ୍ଟା ଭିତରେ ବିଜେପି-କଂଗ୍ରେସର ହୋଇଛି ଘମାଘୋଟ ଲଢ଼େଇ । ଶାସନରେ ଥାଇ ବି ଲଢ଼େଇରେ କଂଗ୍ରେସଠୁ ବିଜେପି ଆଗୁଆ ରହିବାର ଅଧିକାଂଶ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ଏଠି ବି ଆପର ଏଣ୍ଟ୍ରି ପ୍ରାୟତଃ ଅସମ୍ଭବ ଦେଖାଦେଉଛି ।
ଗୁଜରାଟ ହିମାଚଳରେ କଂଗ୍ରେସର ସଂଘର୍ଷ ଭିତରେ ଆଜିର ଏମସିଡି ନିର୍ବାଚନ ରେଜଲ୍ଟରେ ଆମ୍ ଆଦମୀ ପାର୍ଟିର ବିଜୟକୁ ଦଳ ନିଜ ପାଇଁ ବଡ଼ ସଫଳତା ଓ ଦେଶର ରାଜନୀତିରେ ଆପର ବଡ଼ ଏଣ୍ଟ୍ରି ବୋଲି ପ୍ରଚାର କରୁଛି । ୨୫୦ ଆସନ ବିଶିଷ୍ଟ ଏମସିଡିରେ ଆପକୁ ୧୩୪ ଓ ବିଜେପିକୁ ୧୦୪ ଓ କଂଗ୍ରେସକୁ ମିଳିଛି ୯ଟି ଆସନ । କଂଗ୍ରେସର ଶୋଚନୀୟ ପରାଜୟ ଦଳର ସ୍ଥିତିକୁ ଦୋହଲାଇ ଦେଇଛି । ପରାଜୟ ଭିତରେ ବି ବିଜେପି ଦେଖିଛି ଭବିଷ୍ୟତ ପାଇଁ ଆଗକୁ ବଢ଼ିବାର ରାସ୍ତା । ଦଳ କହିଛି ଗତ ବିଧାନସଭାରେ ଆପକୁ ମିଳିଥିବା ୫୨ ପ୍ରତିଶତ ଭୋଟ୍ କମି ୪୨ ପ୍ରତିଶତରେ ପହଞ୍ଚିଛି । କିନ୍ତୁ ବିଜେପି ଭୋଟ୍ ପ୍ରତିଶତ ବୃଦ୍ଧି କରି ୪୦ ପ୍ରତିଶତ ଜନ ସମର୍ଥନ ହାସଲରେ ସଫଳ ହୋଇଛି । ଦିଲ୍ଲୀରେ କମୁଥିବା ଆପ୍ ଓ ବଢୁଥିବା ବିଜେପି ଦେଶର ରାଜନୀତିର ଦିଶାର ସଙ୍କେତ ଦେଉଥିବା ଦଳ କହିଛି ।