ନ୍ୟାସନାଲ କନଫ୍ରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ଭାରତ ବିରୋଧରେ ବକ୍ତବ୍ୟ ଦେବା କିଛି ନୂଆ କଥା ନୁହେଁ । ସେ ଭାରତ ବିରୋଧୀ ବକ୍ତବ୍ୟ ଦେଇ ବିବାଦରେ ଆସିବାର ଅନେକ ନଜିର ରହିଛି । ଏବେ ତାଙ୍କର ଭାଇ ତଥା ଏନସିପିର ବରିଷ୍ଠ ନେତା ମୁସ୍ତଫା କମାଲଙ୍କ ଏକ ଦେଶ ବିରୋଧୀ ବକ୍ତବ୍ୟ ସାମନାକୁ ଆସିଛି ।
୧୯୯୩ ମସିହାରେ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟରୁ ଦୋଷୀ ସାବ୍ୟସ୍ତ ହୋଇ ଫାସି ପାଇଥିବା ୟାକୁବ ମେନନ ସମ୍ପର୍କରେ ସେ ଏହି ବିବାଦୀୟ ବକ୍ତବ୍ୟ ଦେଇଛନ୍ତି । କହିଛନ୍ତି ୟାକୁବ ମେନନକୁ ଭୁଲ ଭାବେ ହତ୍ୟା କରାଯାଉଛି । ମୁଁ ୟାକୁବ ମେନନକୁ ସମ୍ମାନ କରେ ।
ଏହି ପ୍ରସଙ୍ଗରେ ମୁସ୍ତଫା କହିଥିଲେ ଯେ ଯଦି କେହି ଜୀବନ ଦିଏ ଓ ଲୋକେ ତାକୁ ସମ୍ମାନ କରନ୍ତି। ଆଉ ସେ ରୋଲ ମଡେଲ ହୋଇଯାଇଥାଏ । ମୁସଲମାନମାନଙ୍କ ପାଇଁ ସେ ଯେଉଁ କାମ କରିଛନ୍ତି, ତାଙ୍କ କବରକୁ ଯିବା ମୁସଲମାନମାନଙ୍କର କର୍ତ୍ତବ୍ୟ ।
ମୁମ୍ବାଇଠାରେ ଆତଙ୍କବାଦୀ ୟାକୁବ ମେନନର କବରରେ ମାର୍ବଲ ଲଗାଇବା ଓ ଲାଇଟିଂ କରିବା ମାମଲା ସାମନାକୁ ଆସିବା ପରେ ତିଆରି ହୋଇଥିବା ବିବାଦ ଉପରେ ପ୍ରତିକ୍ରିୟା ଦେଇ ମୁସ୍ତଫା କମାଲ ଏମିତି କହିଛନ୍ତି। ଏପରିକି ହଜାର ହଜାର ଲୋକ ଆତଙ୍କବାଦୀମାନଙ୍କୁ ହିରୋ ବୋଲି ମନେ କରନ୍ତି ବୋଲି କହିଛନ୍ତି।
ଫାରୁକ ଅବଦୁଲ୍ଲାଙ୍କ ଭାଇ ମୁସ୍ତଫା ଏଭଳି ଭାରତ ବିରୋଧୀ ବକ୍ତବ୍ୟ ଦେବା ପରେ ଜାମ୍ମୁ କାଶ୍ମୀରର ରାଜନୀତି ଉଷ୍ମ ହୋଇ ଯାଇଛି । ଭାରତୀୟ ଜନତା ପାର୍ଟୀ ଏହାକୁ ନେଇ ଅତ୍ୟନ୍ତ କଡା ପ୍ରତିକ୍ରିୟା ଦେଇଛି। ଜାମ୍ମୁ କାଶ୍ମୀରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କବୀନ୍ଦ୍ର ଗୁପ୍ତା କହିଛନ୍ତି ଯେ ଆତଙ୍କବାଦୀ ମାନେ ହିଁ ଆତଙ୍କବାଦୀ ମାନଙ୍କର ସମର୍ଥନ କରିଥାନ୍ତି । ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ସମସ୍ତ ବ୍ୟକ୍ତି ହେଉଛନ୍ତି ଆତଙ୍କବାଦୀ ।
1993 ମସିହାରେ ମୁମ୍ବାଇ ଠାରେ ହୋଇଥିବା ସିରିଏଲ ବ୍ଲାଷ୍ଟ ମାମଲାର ଦୋଷୀ ୟାକୁବ ମେନନକୁ ଫାସି ଦିଆଯିବା ପରେ ତାର କବରର ଚାରି ପାଖରେ ମାର୍ବଲ ଓ ଏଲଇଡି ଲାଇଟ ଲଗାଇ ଦିଆଯାଇଥିବା ମାମଲାକୁ ନେଇ ବିବାଦ ଦେଖା ଦେଇଥିଲା । ଭାରତୀୟ ଜନତା ପାର୍ଟୀ ଏହି ମାମଲାରେ ପୂର୍ବବର୍ତୀ ଉଦ୍ଧବ ସରକାରଙ୍କୁ କାଠଗଡାରେ ଠିଆ କରାଇ ଥିଲା । ବିଜେପି ନେତା ରାମ କଦମ ୟାକୁବ ମେନନର କବର ଚାରି ପଟେ ମାର୍ବଲ ଓ ଲାଇଟ ଲଗାଯାଇଥିବା ସମ୍ପର୍କିତ ଫଟୋ ତାଙ୍କର ସୋସିଆଲ ମିଡିଆରେ ଶେୟାର କରିଥିଲେ ।