ଏହି ବିଜୟ ସହିତ ଆର୍ଜେଣ୍ଟିନା ଟିମ ଗ୍ରୁପରେ ଟପରେ ରହିବା ସହିତ ପ୍ରି-କ୍ବାଟର ଫାଇନାଲରେ ନିଜ ଜାଗା ପକ୍କା କରିଛି। ଏବେ ରାଉଣ୍ଡ ୧୬ରେ ଆର୍ଜେଣ୍ଟିନାର ମୁକାବିଲା ଗ୍ରୁପ-ଡିରେ ଦ୍ବିତୀୟ ନମ୍ବରରେ ଥିବା ଅଷ୍ଟ୍ରେଲିଆକୁ ଭେଟିବ।
ପରାଜୟ ଦୁଃଖ ଭୁଲି କ୍ରମାଗତ ଦ୍ୱିତୀୟ ବିଜୟ ସହ ନକ୍ ଆଉଟ୍ରେ ପ୍ରବେଶ କରିଛି ୨ଥର ବିଶ୍ୱ ଚାମ୍ପିୟନ୍ ଆର୍ଜେଣ୍ଟିନା । ଗ୍ରୁପ୍-ସି’ର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ୨-୦ ଗୋଲ୍ରେ ପୋଲାଣ୍ଡକୁ ପରାସ୍ତ କରିଥିଲା । ୬ ପଏଣ୍ଟ ସହ ଗ୍ରୁପ୍ ଶୀର୍ଷ ସ୍ଥାନ ଦଖଲ କରି ଆର୍ଜେଣ୍ଟିନା ରାଉଣ୍ଡ-୧୬ରେ ପ୍ରବେଶ କରିଥିଲା। ପୋଲାଣ୍ଡ ପରାଜିତ ହୋଇଥିଲେ ହେଁ ନକ୍ ଆଉଟ୍ରେ ପ୍ରବେଶ କରିଥିଲା । ଅନ୍ୟ ମ୍ୟାଚ୍ରେ ମେକ୍ସିକୋ ୨-୧ ଗୋଲ୍ରେ ସାଉଦି ଆରବକୁ ହରାଇବାରୁ ପୋଲାଣ୍ଡର ନକ୍ ଆଉଟ୍ ସ୍ୱପ୍ନ ସଫଳ ହୋଇଥିଲା ।
ମ୍ୟାଚର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେଉ ହେଉ ଆର୍ଜେଣ୍ଟିନା ଗୋଲ୍ ଖାତା ଖୋଲିବାରେ ସଫଳ ହୋଇଥିଲା । ୪୬ତମ ମିନିଟ୍ରେ ନହ୍ୱେଲ ମୋଲିନାଙ୍କ ଏକ ପାସ୍କୁ ଆଲେକ୍ସିସ ମାକ ଆଲିଷ୍ଟର ଗୋଲ୍ରେ ପରିଣତ କରିଥିଲେ । ଏହାପରେ ଆର୍ଜେଣ୍ଟିନା ଆକ୍ରମଣ ଜାରି ରଖି ବାରମ୍ବାର ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା । ୬୭ତମ ମିନିଟ୍ରେ ଇଞ୍ଜୋ ଫର୍ଣ୍ଣାଣ୍ଡିସଙ୍କ ଏକ ପାସ୍କୁ ଜୁଲିଆନ ଆଲଭାରେଜ ପୋଲାଣ୍ଡ ଗୋଲ୍ ପୋଷ୍ଟରେ ପହଞ୍ଚାଇ ଦେଇଥିଲେ । ଏହାପରେ ଆଉ ଗୋଲ୍ ହୋଇ ନଥିଲା । ୨୨ତମ ବିଶ୍ୱକପ୍ ମ୍ୟାଚ୍ ଖେଳିଥିଲେ ମେସି । ସେ ଆଜି ଡିଏଗୋ ମାରାଡୋନା(୨୧)ଙ୍କ ରେକର୍ଡ ଭଙ୍ଗ କରି ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ବିଶ୍ୱକପ୍ ମ୍ୟାଚ୍ ଖେଳିବାରେ ରେକର୍ଡ କରିଥିଲେ ।