ଉତ୍ତରପ୍ରଦେଶର ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ରେ ଯୋଗୀ ସରକାର ଇଣ୍ଡିଆ ହେଲ୍ଥ ଲିଙ୍କ୍ ସହ ଏକ ଏମଓୟୁ ସାଇନ୍ କରିଛନ୍ତି । ଯେଉଁ ଆଧାରରେ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ 4,000 ରୁ ଅଧିକ ସ୍ୱାସ୍ଥ୍ୟ ଏଟିଏମ୍ ସ୍ଥାପନ କରାଯିବ ।
ଇଣ୍ଡିଆ ହେଲ୍ଥ ଲିଙ୍କ୍ ର କୋ ଫାଉଣ୍ଡର ଓ ସଭାପତି ଡ.ସ୍ୱଦିପ ଶ୍ରୀବାସ୍ତବଙ୍କ କହିବାନୁଯାୟୀ ଗ୍ରାମାଞ୍ଚଳ ବା ଉପାନ୍ତ ଅଞ୍ଚଳ ଗୁଡିକରେ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ଅଭାବ ହେତୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ଲୋକଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ହେଲେ ଦୀର୍ଘ ବାଟ ଚାଲିବାକୁ ମଧ୍ୟ ପଡୁଛି । ଏପରିକି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କେତେବେଳେ ଡାକ୍ତର ରହୁନାହାନ୍ତି ତ କେତେବେଳେ ମେସିନର ଅଭାବ । ଯେଉଁଠି ଲୋକଙ୍କର ସେହି ଅଭାବକୁ ପୁରା କରିବ ଏହି କିଓସ୍କ ଏଟିଏମ୍ ।
ବ୍ୟାଙ୍କ ଏଟିଏମ୍ ପରି, ସ୍ୱାସ୍ଥ୍ୟ ପୋଡ୍ ହେଉଛି ଏକ ସ୍ୱୟଂଚାଳିତ ଟଚ୍ ସ୍କ୍ରିନ୍ କିଓସ୍କ । ଯାହାକି ଯନ୍ତ୍ରପାତି ସହିତ ସୁସଜ୍ଜିତ ହୋଇଛି । ଯାହା ଲୋକଙ୍କୁ ରକ୍ତଚାପ, ବଡି ମାସ୍ କମ୍ପୋଜିସନ, ଶରୀରର ତାପମାତ୍ରା, ECG, ଅମ୍ଳଜାନ ସାଚୁରେଚର ସ୍ତର ଇତ୍ୟାଦି ଯାଞ୍ଚ କରିପାରିବ । ଆଉ ତାହା ବି ମାତ୍ର ପାଞ୍ଚ ମିନିଟ୍ ରେ ।
ଆଉ ଟେଷ୍ଟ ରିପୋର୍ଟ ପ୍ରିଣ୍ଟ ମାଧ୍ୟମରେ ତୁରନ୍ତ ହ୍ୱାଟ୍ସଆପ୍, ଇ-ମେଲ୍,ଏସଏମଏସ ଜରିଆରେ ଉକ୍ତ ବ୍ୟକ୍ତିଙ୍କୁ ମିଳିଯିବ । ଏପରିକି ଯଦି କୌଣସି ଡାକ୍ତର ନଥିବେ ତେବେ ଟେଲିମେଡିସିନ ଜରିଆରେ ରୋଗୀଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ହସ୍ପିଟାଲ ଗୁଡିକରେ ଏପରି ଏଟିଏ ପ୍ରତିଷ୍ଠା କରାଗଲେ opd ରେ ଲୋଡ୍ ମଧ୍ୟ କମିବାର ସମ୍ଭାବନା ରହିଛି ।