ଅଧିକ ପଢନ୍ତୁ : ସାମ୍ନାକୁ ଆସିଲା ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ କ୍ୟାମେରା ଫୁଟେଜ୍
ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୦ ଦିନ ହେଲା ଚାଲିଛି ଅଭିଯାନ । ଟନେଲର ତିନି ପାଖରୁ ଡ୍ରିଲ୍ କରି ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ କରାଯାଉଛି ପ୍ରୟାସ । ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ, ଡାହଣ ଏବଂ ଉପର ପଟୁ ଡ୍ରିଲିଂ କରାଯିବ । ଏଥିପାଇଁ ରାତିଦିନ କାମ କରୁଛନ୍ତି ୫ଟି ଟିମ୍ । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଡିଆରଡିଓର ରୋବୋଟିକ୍ ଟିମ୍ ଏବଂ ଏକ ଇଣ୍ଟରନ୍ୟାସନାଲ୍ ଟନେଲ୍ ଏକ୍ସପର୍ଟ ଟିମ୍ । ସେପଟେ ବାୟୁସେନା ବିମାନରେ ବଡ଼ ବଡ଼ ମେସିନ୍ ଟନେଲ୍ ପାଖକୁ ନିଆଯାଉଛି । ବଡ଼ ଓସାରିଆ ପାଇପ୍ ମଧ୍ୟ ଅଣାଯାଉଛି । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ମଧ୍ୟ ଭାରତୀୟ ବାୟୁସେନାର ସୁପର ହର୍କୁଲେସ୍ ବିମାନ ଯୋଗେ ଉତ୍ତରକାଶୀକୁ ପାଇପ୍ ପଠାଯାଇଛି । ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନଲଡ ଡିକ୍ସ । ଖୁବ ଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ସେ ଅର୍ଗସ ନିୟୁଜକୁ ସୂଚନା ଦେଇଛନ୍ତି ।
ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସମସ୍ତ ଏଜେନ୍ସି ସହ ମିଶି କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଟିମ୍ । ଲଗାତାର ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବୁଝୁଛନ୍ତି ପ୍ରଧାନମନ୍ତ୍ରୀ । ମଙ୍ଗଳବାର ବି ଉତ୍ତରା ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୋଦି । ଫସିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ଜୋରଦାର ଚାଲିଛି ଉଦ୍ଧାର କାର୍ଯ୍ୟ । ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ସରକାରଙ୍କ ପ୍ରାଥମିକତା ।