ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ନିର୍ମଳା ସୀତାରମଣ । ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ନିର୍ମଳା ସୀତାରମଣ ଦେଶର ପ୍ରଥମ ମହିଳା ଭାବେ ଅର୍ଥ ବିଭାଗର ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି। ପୂର୍ବରୁ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ କିଛି ସମୟ ପାଇଁ ଅର୍ଥ ଏବଂ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ନେଇଥିଲେ। ୧୯୭୦ ରୁ୧୯୭୧ ଯାଏଁ ଇନ୍ଦିରା ଗାନ୍ଧି ଦେଶର ଅର୍ଥମନ୍ତ୍ରୀ ରହିଥିଲେ। 2014 ମୋଦିଙ୍କ ସରକାର ଗଠନରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଦେଶର ପ୍ରଥମ ମହିଳା ଭାବେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ଭାଳିଥିଲେ।
ତାମିଲନାଡୁର ମଦୁରାଇରେ ଜନ୍ମ ନେଇଥିବା ନିର୍ମଳା ସୀତାରମଣ ନିଜ ସ୍କୁଲ ଶିକ୍ଷା ତିରୁଚିରପଲ୍ଲୀରେ ସମାପ୍ତ କିରଥିଲେ । ଏହାପରେ ସେ ସୀତାଲକ୍ଷ୍ମୀ କଲେଜରେ ଇକୋନୋମିକ୍ସରେ ଗ୍ରାଜୁଏଟ୍ ପାସ୍ କରିଥିଲେ। ପରେ ସେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ କରିଥିଲେ ।
