ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପିଓକେ ଦଖଲ ମନ୍ତବ୍ୟ ଉପରେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ୍ ମଧ୍ୟ ନିଜର ସମାନ ମତ ରଖିଛନ୍ତି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ଆଗାମୀ ମିଶନ୍ ହେଉଛି ପିଓକେ ଦଖଲ। ସେହି ସମାନ ସ୍ୱରକୁ ଦୋହରାଇ ଜେନେରାଲ ରାୱତ୍ କହିଛନ୍ତି ଯେ, ଏହିସବୁ ମାମଲାରେ ସରକାର ହସ୍ତ କ୍ଷପ କରିଥାନ୍ତି ଏବଂ ତାଙ୍କ ନିଷ୍ପତ୍ତି ଆଉ ଆଦେଶ ଅନୁସାରେ କାର୍ଯ୍ୟ ହୋଇଥାଏ । ତେଣୁ ସରକାର ଯାହା ଆଦେଶ ଦେବେ ସେନା ପ୍ରସ୍ତୁତ ତାହା ପାଳନ କରିବା ପାଇଁ । ପିଓକେରେ କ’ଣ କରିବେ ତାହା ସରକାର ନିଷ୍ପତ୍ତି ନେବେ।
ପିଓକେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନା କେତେଦୂର ପ୍ରସ୍ତୁତ ବୋଲି ଗଣାମଧ୍ୟମର ପ୍ରଶ୍ନରେ ରାୱତ୍ କହିଛନ୍ତି, ସରକାର ଏଭଳି ନିଷ୍ପତ୍ତି ନେଇଥା’ନ୍ତି। ଦେଶର ବିଭିନ୍ନ ଅନୁଷ୍ଠାନ ସରକାରଙ୍କ ନିର୍ଦ୍ଦେଶକ୍ରମେ କାମ କରିଥା’ନ୍ତି। ସେନା ସବୁବେଳେ ପ୍ରସ୍ତୁତ ଥାଏ।
ଅନ୍ୟପକ୍ଷରେ ପାକିସ୍ତାନ ବୈଦେଶିକମନ୍ତ୍ରୀ ଜମ୍ମୁ-କଶ୍ମୀରକୁ ଭାରତୀୟ ରାଜ୍ୟ କହିବାକୁ ନେଇ ମଧ୍ୟ ସେ ମଜାଦାର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେ ଆପଣମାନଙ୍କ ପରି ଏହି କଥା ଶୁଣି ଆନନ୍ଦିତ। ଏହା ହିଁ ସତ। ଏହା ହିଁ ବାସ୍ତବ। ସେ କହିଥିଲେ, ଜମ୍ମୁକଶ୍ମୀର ଲୋକ ବୁଝିବା ଦରକାର ଯାହା ହେଉଛି ସେମାନଙ୍କ ପାଇଁ ହିଁ ହେଉଛି। ସରକାର ଯାହା କିଛି ନିର୍ଦ୍ଦେଶ ଦେଉଛନ୍ତି, ୩୭୦ ଉଚ୍ଛେଦ ଏବଂ ଯାହା କିଛି ପଦକ୍ଷେପ ନିଆଯାଇଛି ସବୁ କିଛି ଜମ୍ମୁ-କଶ୍ମୀରର ଅନ୍ତର୍ଭୁକ୍ତିକରଣ ପାଇଁ କରାଯାଇଛି।
