
ଅର୍ଗସ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ହଲ ଚଲ। ସଙ୍କଟରେ ଗେହଲଟଙ୍କ ସରକାର । ହାତ ଛାଡ଼ି ପଦ୍ମ ଧରିପାରନ୍ତି ପାଇଲଟ। କୁହାଯାଉଛି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ସାକ୍ଷାତ କରିପାରନ୍ତି ସଚିନ। ଯଦି ଆଶଙ୍କା ସତ ହୁଏ, ତେବେ ଏହା କଂଗ୍ରେସ ପାଇଁ ଆଉ ଏକ ବଡ଼ ଝଟକା ହେବ ବୋଲି ଅନୁମାନ କରାଯାଉଛି। କେବଳ ସଚିନ ନୁହନ୍ତି, ତାଙ୍କ ସହ 30 ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି। ସେପଟେ ଗେହଲଟ ପକ୍ଷଙ୍କ ଦାବି, ତାଙ୍କ ନିକଟରେ ରହିଛି 100 ବିଧାୟକଙ୍କ ସମର୍ଥନ।
ଏହାରି ଭିତରେ ଆଜି ଦିନ 10.30ରେ କଂଗ୍ରେସ ବିଧାୟକ ଦଳର ବୈଠକ ରହିଛି। ଏହି ବୈଠକରେ ହିଁ ଗେହଲଟ ସରକାରଙ୍କ ଭବିଷ୍ୟତ ନିର୍ଭର କରୁଛି। ଅବଶ୍ୟ ସଚିନଙ୍କ ସହ ସଂପର୍କରେ ଥିବା କଥାକୁ ଅସ୍ବୀକାର କରିଆସୁଛି ଭାରତୀୟ ଜନତା ପାର୍ଟି। ଯଦି ସଚିନ ବିଜେପିରେ ସାମିଲ ହୁଅନ୍ତି, ତେବେ ତାଙ୍କ ସମର୍ଥନରେ ଥିବା ବିଧାୟକ ଆଜି ଇସ୍ତଫା ଦେଇପାରନ୍ତି। ସେପଟେ କିଛିଦିନ ତଳେ ବିଜେପିରେ ସାମିଲ ହୋଇଥିବା ସିନ୍ଧିଆ, ସଚିନଙ୍କ ସମର୍ଥନରେ ଆସିଛନ୍ତି । ରାଜସ୍ଥାନ ପୋଲିସର ସ୍ପେସାଲ ଅପରେସନ ଗ୍ରୁପ ପକ୍ଷରୁ ଡେପୁଟି ସିଏମ ସଚିନ ପାଇଲଟଙ୍କୁ ନୋଟିସ ପରେ ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼ ଦେଖିବାକୁ ମିଳିଛି।

