ଅର୍ଗସ ବ୍ୟୁରୋ : ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର ନେଇ ଆସିଛି ନବବର୍ଷ। ଦିଲ୍ଲୀରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ପ୍ରାୟ 7 ମାସ ପରେ ପ୍ରଥମ ଥର ପାଇଁ ରାଜଧାନୀରେ 500ରୁ କମ୍ କରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସିଛି। ତାଜା ଆକଳନ ଅନୁଯାୟୀ, ଜାନୁଆରୀ 2ରେ ଦିଲ୍ଲୀରେ 494 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 496 ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପୂର୍ବରୁ ମେ 17ରେ ଦିଲ୍ଲୀରେ 500ରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।
ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୀନ ଟ୍ଵିଟ୍ କରି ଏନେଇ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, 17 ମେ ପରେ 7 ମାସରେ ପ୍ରଥମ ଥର ପାଇଁ 500ରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପଜିଟିଭିଟି ରେଟ୍ ମଧ୍ୟ ନଭେମ୍ଵର 7 (15.26) ତୁଳନାରେ ହ୍ରାସ ପାଇ 0.73 ପ୍ରତିଶତ ହୋଇଛି। ପଜିଟିଭିଟି ରେଟ ଗତ 11 ଦିନରେ ପ୍ରାୟ ଏକ ପ୍ରତିଶତ ତଳେ ରହିଛି। ଆକ୍ଟିଭ୍ କେସ୍ ମଧ୍ୟ 13 ନଭେମ୍ଵର (44.456) ତୁଳନାରେ ହ୍ରାସ ପାଇ 5,342 ହୋଇଛି।
ଅପର ପକ୍ଷରେ ଦେଶ ସାରା ଚାଲିଥିବା କରୋନା ଭ୍ୟାକ୍ସିନେସନର ଡ୍ରାଏ ରନ ମଧ୍ୟରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏକ ବଡ଼ ଘୋଷଣା କରିଛନ୍ତି। ଦେଶ ସାରା ମାଗଣାରେ କରୋନା ଭ୍ୟାକ୍ସିନ ଦିଆଯିବ ବୋଲି ସେ କହିଛନ୍ତି।