ଅର୍ଗସ ବ୍ୟୁରୋ: ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପ୍ରାଥମିକତା। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ରଣନୀତି। ୟୁକ୍ରେନର ପଡୋଶୀ ଦେଶମାନଙ୍କୁ ଯିବେ ୪ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରନ ରିଜିଜୁ ଏବଂ ଭିକେ ସିଂହ। ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପଡୋଶୀ ପୋଲାଣ୍ଡ ଓ ରୋମାନିଆ ଯିବେ ଏହି ୪ କେନ୍ଦ୍ରମନ୍ତ୍ରୀ। ୟୁକ୍ରେନରେ ଯୁଦ୍ଧ ସଙ୍କଟ ଯୋଗୁଁ ସେଠାରେ ଫସିଥିବା ଭାରତୀୟ ଛାତ୍ରମାନେ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା।ରୋମାନିଆ ଓ ମୋଲଡୋଭା ସୀମାରେ ଥିବା ଭାରତୀୟଙ୍କ ଉଦ୍ଧାର ଦାୟିତ୍ବ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଆଯାଇଥିବା ବେଳେ କିରଣ ରିଜିଜୁଙ୍କୁ ସ୍ଲୋଭାକିଆ ଦାୟିତ୍ବ ଦିଆଯାଇଛି। ହଙ୍ଗେରୀରେ ଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ହରଦୀପ ପୁରୀ ଯାଉଥିବା ବେଳେ ପୋଲାଣ୍ଡ ଯିବେ ଭି. କେ. ସିଂହ। ପୋଲାଣ୍ଡ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ପୋଲାଣ୍ଡ ରାଷ୍ଟ୍ରଦୂତ।
ଯୁଦ୍ଧ ସଙ୍କଟ ଯୋଗୁଁ ହଜାର ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଭାରତ ସରକାରଙ୍କ ୬ଷ୍ଠ ବିମାନ ବୁଦାପେଷ୍ଟରୁ ୨୪୦ ଭାରତୀୟ ଛାତ୍ରଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଅଧିକାଂଶ ଛାତ୍ର ପୋଲାଣ୍ଡ ଓ ରୋମାନିଆ ସୀମାରେ ପହଞ୍ଚିଥିବା ବେଳେ ସ୍ବଦେଶ ଫେରିବାକୁ ସରକାରଙ୍କ ସହଯୋଗ ଲୋଡିଛନ୍ତି।
ୟୁକ୍ରେନ୍ ଫେରନ୍ତା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ମୁମ୍ବାଇ ବିମାନବନ୍ଦରରେ ମଧ୍ୟ ହେଲପ୍ ଡେସ୍କ ଖୋଲାଯିବ ବୋଲି ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଫେବ୍ରୁଆରି ୨୮ ସୁଦ୍ଧା ୟୁକ୍ରେନରୁ ୫ଟି ବିମାନରେ ୧୧୫୬ ଜଣ ଭାରତ ଫେରି ସାରିଛନ୍ତି। ୟୁକ୍ରେନରୁ ଆସୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଯାତ୍ରୀ ନିୟମାବଳୀରେ ସଂଶୋଧନ କରିଛନ୍ତି। ବିମାନ ଯାତ୍ରା ପୂର୍ବରୁ ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଏବଂ ଭ୍ୟାକେସିନ୍ ସାର୍ଟିଫିକେଟ୍ ଆଉ ବାଧ୍ୟତାମୂଳକ ନୁହେଁ।