ଜଙ୍ଗଲ କଟା ବିଶ୍ବ ତାପନର ପ୍ରମୁଖ କାରଣ । ଏଥିରୁ ରକ୍ଷା ପାଇବା ପାଇଁ ସବୁଜ ଘର ଓ ଛାତର ଧାରଣା ବଢ଼ି ଚାଲିଛି ।
ଅନେକ ସ୍ଥାନରେ ଏହା ବାସ୍ତବତାରେ ମଧ୍ୟ ପରିଣତ ହେଲାଣି । ଏହି ସବୁଜ ଘର ନିଜ ପାଇଁ ନିଜେ ଶକ୍ତି ଉତ୍ପାଦନ କରିବା ସହ ପରିବେଶ ଉପଯୋଗୀ ଓ ଜଳ ସଂରକ୍ଷଣ ମଧ୍ୟ କରୁଛି । ୟୁରୋପ, ଆମେରିକାରେ ଏହି ମଡ଼େଲ ବେଶ ପ୍ରଶଂସିତ ହୋଇଛି । ବଡ଼ କାରଖାନା ମଧ୍ୟ ଏହି ମଡ଼େଲକୁ ଅନୁସରଣ କଲେଣି ।
ୟୁରୋପ, ଆମେରିକା ତଥା ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ ଘର ବାହାର ଯଥା ଛାତ ଓ ବାଲକୋନୀ ସବୁଜ ହେବାରେ ଲାଗିଛି । ଛାତ ସବୁଜ ହେବା ଦ୍ବାରା ଘରର ତାପମାତ୍ରା ହ୍ରାସ ପାଉଛି । ସବୁଜ ଛାତ ବର୍ଷା ପାଣିରୁ ଘରକୁ ସୁରକ୍ଷା ଦେଉଛି । ଫଳରେ ସହରର ଡ୍ରେନେଜ ପ୍ରକ୍ରିୟା ଉପରୁ ଚାପ କମିବାରେ ଲାଗିଛି । ପ୍ରାକୃତିକ ପରିବେଶ ମଧ୍ୟରେ ରହିବାର ସୁଯୋଗ ମଧ୍ୟ ମିଳୁଛି ।
ୱାର୍ଲ୍ଡ ମିଟର ଅନୁଯାୟୀ ଚାଇନା ସର୍ବାଧିକ ଅଙ୍ଗାରକାମ୍ଲ ନିର୍ଗତ କରୁଥିବା ବେଳେ ଭାରତ ତୃତୀୟ ସ୍ଥାନରେ ରହିଛି । ଏପରି ପରିସ୍ଥିତିରେ ଭାରତରେ ସବୁଜ ଘର ନିର୍ମାଣ ପାଇଁ ପଥ ପରିଷ୍କାର ହେବା ଆବଶ୍ୟକ । ଏକ୍ଷେତ୍ରରେ ସରକାରୀ କଳ ବିଶେଷ ଭାବେ ଧ୍ୟାନ ଦେବା ସହ ଲୋକେ ମଧ୍ୟ ସଚେତନ ରହିବା ଦରକାର ବୋଲି ଦାବି ହେଉଛି।