ଏହା କେବଳ ପ୍ରଧାନମନ୍ତ୍ରୀଙ୍କ କରିସ୍ମାର ହିଁ କମାଲ ଥିଲା, ଯାହା ଗୁଜରାଟରେ ବିଜେପି ବିଜୟର ପଟ୍ଟକଥା ଲେଖିଛି । ଏହା କେବଳ ମୋଦିଙ୍କର ହିଁ ପ୍ରତାପ ଥିଲା ଯେ ଗୁଜରାଟରେ ୨୭ ବର୍ଷର ସରକାର ବିରୋଧରେ ଥିବା ଆଣ୍ଟିଇନକମ୍ବେନାନ୍ସିର ଧଜ୍ଜିଆ ଉଡ଼ିଯାଇଛି । ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ଯାଦୁଗରୀ ରାଜନୈତିକ ଶକ୍ତି ଥିଲା, ଯାହା ବିରୋଧୀଙ୍କୁ ଚିତପଟ୍ଟାଙ୍ଗ କରି ବିଜେପିର ଡଙ୍ଗାକୁ ପୁଣି ଥରେ ଗୁଜରାଟରେ କୂଳରେ ଲଗାଇବାରେ ସମର୍ଥ ହୋଇଛି । ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବର ହିଁ ପରିପ୍ରକାଶ, ଯାହା କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ନାରା, କନଫିଡେନ୍ସ ଓ ନେତାଙ୍କ ଶାସକ ହେବାର ସ୍ବପ୍ନକୁ ପୁଣି ବନବାସ ପଠାଇଛି । କେବଳ ଆଉ କେବଳ ମୋଦିଙ୍କ ଉପରେ ଭରସା କରି ପୁଣି ଥରେ ଗୁଜରାଟରେ ଫୁଟିଛି କେଶରୀ ରଙ୍ଗର ପଦ୍ମ । ଡିସେମ୍ବର ୧୨ରେ ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ । ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହେବେ ।
ମୋଦିଙ୍କ 40ରୁ ଅଧିକ ତୋଫାନୀ ନିର୍ବାଚନୀ ରାଲି, ମାରାଥନ୍ ରୋଡ୍ ଶୋ, ପ୍ରଚାର-ପ୍ରସାର ଆଗରେ ବିରୋଧୀ ମାଟି କାମୁଡ଼ି ପକାଇଛନ୍ତି । କଂଗ୍ରେସ ତ ମୂଳରୁ ହିଁ ଗ୍ରାଉଣ୍ଡ ଛାଡ଼ି ସାରିଥିଲା । ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା ରେ ଏମିତି ବ୍ୟସ୍ତ ରହିଲେ ଯେ ନା ରାଲି ନେଇ ଗୁଜରାଟ ଗଲେ, ନା ଦିନେରୁ ଅଧିକ ପ୍ରଚାର କଲେ । ଆଉ ଗୁଜରାଟ କଂଗ୍ରେସ ପର୍ଯ୍ୟବେକ୍ଷକ ଅଶୋକ ଗେହଲୋଟ ନିଜ ରାଜ୍ୟରେ ପାଇଲଟଙ୍କ ସାଙ୍ଗରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକି-ଶୂନ ଖେଳିଲେ । ସେପଟେ ୨୦୧୭ରେ ବିଜେପି ପାଇଁ ସବୁଠାରୁ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇଥିବା ତ୍ରିମୂର୍ତ୍ତି ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୋର ଓ ଜିଗ୍ନେଶ ମେୱାନୀଙ୍କ ମଧ୍ୟରୁ ହାର୍ଦ୍ଦିକ ଏବଂ ଅଳ୍ପେଶ ବିଜେପି ଖେମାରେ । ତେଣୁ ପାଟିଦାର ଅସନ୍ତୋଷକୁ ମଧ୍ୟ ବେଶ ସନ୍ତୁଷ୍ଟ କରିବାରେ ସମର୍ଥ ହୋଇଥିଲେ ବିଜେପିର ପୋଷ୍ଟର ବୟ ନରେନ୍ଦ୍ର ମୋଦି । ତେଣୁ କଂଗ୍ରେସ ପକେଟରେ ଥିବା ୪୦ ପ୍ରତିଶତ ପାଖାପାଖି ଭୋଟ୍ ମଧ୍ୟ ଏଥର ଦଳ ବଞ୍ଚାଇବାରେ ସକ୍ଷମ ହେଲାନି । ଏବେ ପରିସ୍ଥିତି ଏମିତି ହୋଇଛି ଯେ, କଂଗ୍ରେସ ରେକର୍ଡ ସମୟ ଧରି ବିରୋଧୀ ଆସନରେ ବସିବ ।
ସେହିପରି ଆମ୍ ଆଦମୀ ପାର୍ଟି ବ୍ୟାଣ୍ଡ, ବାଜା ଧରି ଗୁଜରାଟରେ ଏଣ୍ଟ୍ରି ତ କଲା । ହେଲେ କେଜ୍ରିୱାଲ ଆକ୍ଟିଭ୍ ହେବାକୁ ଆରମ୍ଭ କଲା ବେଳକୁ ଦିଲ୍ଲୀ ସରକାରର ଘୋଟାଲାର ଗଦାଗଦା ଭିଜୁଆଲ ସାମ୍ନାକୁ ଆସିଲା । ତେଣୁ ଗୁଜରାଟରେ ଆଗ୍ରେସନ୍ ଦେଖାଇବା ପରିବର୍ତ୍ତେ ଦିଲ୍ଲୀରେ ଡ୍ୟାମେଜ କଣ୍ଟ୍ରୋଲରେ ବ୍ୟସ୍ତ ରହିଲେ ଅଧିକାଂଶ ନେତା । ତେଣୁ ବିଜେପି ବିରୋଧରେ ଥିବା ଆଣ୍ଟି ଇନକମ୍ବେନାନ୍ସି ଭୋଟ ସବୁ କଂଗ୍ରେସ ସହ ଭାଗ ବାଣ୍ଟିଲା ଆପ୍ । ଅଧିକାଂଶ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନୈରାଶଜନକ ପ୍ରଦର୍ଶନ ପଛରେ ଆମ୍ ଆଦମୀ ପାର୍ଟି ଭୋଟ୍ କଟୁଆ ପାର୍ଟି ସାବ୍ୟସ୍ତ ହୋଇଛି । ସେହିପରି ମୁସଲିମ ବହୁଳ ଇଲାକାରେ ଏଆଇଏମଆଇଏମ ଏଣ୍ଟ୍ରି ମଧ୍ୟ କଂଗ୍ରେସକୁ ବେଶ କ୍ଷତି ପହଞ୍ଚାଇଛି । ତେଣୁ ୨୦୧୭ରେ ଗୁଜରାଟ ବିଧାନସଭାର ରାସ୍ତା ବିଜେପି ପାଇଁ ଅଗ୍ନିପଥ ସାବ୍ୟସ୍ତ ହୋଇଥିବା ବେଳେ ଏଥର କିନ୍ତୁ ଗୋଲାପର ପଥ ଭଳି ଲାଗିଛି । ଆଉ ଯାହାର ପରିସ୍ଥିତି ଏମିତି ହୋଇଛି, ଯେ ୨୦୦୨ରେ ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ବିଜେପି ସର୍ବାଧିକ ୧୨୭ ଆସନ ପାଇଥିବା ବେଳେ ଏଥର ମଧ୍ୟ ସେହି ରେକର୍ଡ ଭାଙ୍ଗିଯାଇଛି । କେବଳ ନିଜ ରେକର୍ଡ ନୁହେଁ, ଏହା ହେଉଛି ଗୁଜରାଟ ବିଧାନସଭାରେ କୌଣସି ଦଳର ସର୍ବକାଳୀନ ରେକର୍ଡ ପ୍ରଦର୍ଶନ । ଯାହାର ଶ୍ରେୟ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିଁ ଯାଉଛି । ତେଣୁ ୨୦୧୧ ଯାଏଁ ପଶ୍ଚିମବଙ୍ଗରେ ଥିବା ବାମ ସରକାରର ସର୍ବାଧିକ ୭ ଥର ବିଜୟ ସହ ସମକକ୍ଷ ହୋଇଛି ଗୁଜରାଟରେ ବିଜେପି ସରକାର । ପୁଣି ଥରେ ଗୁଜରାଟ ମାଟିରେ ଫରଫର ହୋଇ ଉଡ଼ିବ ବିଜେପି ପତାକା।
ରାଜନୀତି ଖବର ଆହୁରି ପଢନ୍ତୁ ।