ଗୋଟିଏ ପଟେ ସୋମବାର ଗୁଜରାଟ ଭୋଟ ସରିଥିବା ବେଳେ ଦିଲ୍ଲୀରେ ଆରମ୍ଭ ହୋଇଛି ବିଜେପି ରାଷ୍ଟ୍ରୀୟ ପଦାଧୀକାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ମିସନ 2024 ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପିର ଶୀର୍ଷ ନେତୃବୃନ୍ଦ । ଅବଶ୍ୟ 2024 ପାଇଁ ବହୁ ପୂର୍ବରୁ କସରତ ଆରମ୍ଭ କରିସାରିଛି ବିଜେପି । 2019ରେ 303 ଆସନରେ ବିଜୟ ବାନା ଉଡ଼ାଇଥିଲା ବିଜେପି । ସାରା ଦେଶରେ ଛାଇ ଯାଇଥିଲା ଗେରୁଆ । 2019ରେ ଯେଉଁ ଅଳ୍ପ କିଛି ସ୍ଥାନରେ ଅନ୍ୟ ରଙ୍ଗ ଦିଶୁଛି । 2024ରେ ତାକୁ ଗେରୁଆ କରିବାକୁ ଦଳ ଆରମ୍ଭ କରିଛି ମାଷ୍ଟର ପ୍ଲାନ । ଏବେ ବିଜେପିର ଫୋକସରେ 2019ରେ ହାରିଥିବା ଆସନ । ପ୍ରତି 3 ଲୋକସଭା ଆସନର ଦାୟିତ୍ବ ମିଳିଛି ଜଣେ ଲେଖାଏଁ କେନ୍ଦ୍ରମନ୍ତ୍ରୀଙ୍କୁ । ଏଥର ମିସନ 400 ପ୍ଲସ ନେଇ ମଇଦାନକୁ କୁଦି ସାରିଛି ଦଳ ।
ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପି କବଜା କରିଚାଲିଥିବା ବେଳେ ସାରା ଦେଶରେ ଛାଇବାରେ ଲାଗିଛି ଗେରୁଆ ରଙ୍ଗ । ସେପେଟେ କିନ୍ତୁ ବିଜେପିର ମୁକାବିଲା କରିବେ କଣ ପ୍ରଧାନମନ୍ତ୍ରୀ ବନିବାର ସ୍ବପ୍ନ ଦେଖୁଥିବା ବିରୋଧୀ ନେତାଙ୍କ ତାଲିକା ଲମ୍ବି ଚାଲିଛି । ମମତା ବାନାର୍ଜୀଙ୍କ ଠାରୁ କେଜରୀୱାଲଙ୍କ ଯାଏ । କେସିଆରଙ୍କଠୁ ନେଇ ପଲଟୁରାମ ନୀତୀଶଙ୍କ ଯାଏ ସମସ୍ତେ ମୁଙ୍ଗେରିଲାଲର ସ୍ବପ୍ନ ଦେଖିବାରେ ବ୍ୟସ୍ତ ।
ଭାରତୀୟ ରାଜନୀତିରେ ସବୁବେଳେ ବିରୋଧୀଙ୍କୁ ଏକାଠି କରିବାରେ ବଡ଼ ବିରୋଧୀ ଦଳ ନିଭାଇ ଆସିଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା । କିନ୍ତୁ ସବୁଠୁ ବଡ଼ ବିରୋଧୀ ଦଳ କଂଗ୍ରେସ ଏବେ ନିଜର ଅସ୍ତିତ୍ବ ରକ୍ଷା ଆହ୍ବାନର ସାମ୍ନା କରୁଛି । ଗୁଜରାଟ ଓ ହିମାଚଳ ପ୍ରଦେଶ ଯେଉଁଠି 2017ରେ କଂଗ୍ରେସ ବିଜେପିକୁ କଡ଼ା ମୁକାବିଲା ଦେଇଥିଲା । 2022ରେ ସେଠାରେ କଂଗ୍ରେସ ବିଜେପିକୁ ୱାକଓଭର ଦେଇଦେଲା । ଗୋଟିଏ ପଟେ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଥିବା ବେଳେ କଂଗ୍ରେସକୁ ଲାଗିଥିଲା ଦୁଇ ଦୁଇଟି ଶକ୍ତ ଝଟକା । ଗୁଲାମନବୀ ଆଜାଦଙ୍କ ପରି ଅଭିଜ୍ଞ ନେତା ରାହୁଲ ଗାନ୍ଧିଙ୍କୁ ଅପରିପକ୍ବ କହି ନିଜ ରାସ୍ତା ଅଲଗା କରିଦେଇଥିଲେ । ଦ୍ବିତୀୟ ଝଟକା ଲାଗିଥିଲା ଗୋଆରେ ଯେଉଁଠି କଂଗ୍ରେସ ବିଧାୟକ ଦଳ ହିଁ ବିଜେପିରେ ବିଲୁପ୍ତ ହୋଇଗଲା । ଯେଉଁଠି ଅନ୍ୟ ବିରୋଧୀ ଦଳ କଂଗ୍ରେସକୁ ସାଙ୍ଗରେ ନେଇ ଲଢିବାକୁ ରିସ୍କ ମନେକରୁଛନ୍ତି । ଯେଉଁଠି ଦଳ ସହ ନିଜର 30 ,40 ବର୍ଷର ସଂପର୍କ ତୁଟାଇ ନେତା ଅଲଗା ରାସ୍ତା ବାଛୁଛନ୍ତି । ସେହି ଦଳକୁ ଭୋଟର ଭରସା କରିବେ କେମିତି ।
2024 ଲଢେଇ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ । ନିର୍ବାଚନ ପାଖେଇବା ସହ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ନୂଆ କୀର୍ତ୍ତିମାନ ରଚିବା ଦିଗରେ ବଢିଚାଲିଛନ୍ତି । ସେପଟେ ପ୍ରଚଣ୍ଡ ମୋଦି ହାୱାର ମୁକାବିଲା ପାଇଁ ରଣନୀତି କରିବା ବଦଳରେ ପରସ୍ପର ମଧ୍ୟରେ ଛକାପଞ୍ଝାରେ ମାତିଛନ୍ତି ବିରୋଧୀ ।