ବଡୋଦରାର ପୋଲିସ କମିଶନର ଆରବୀ ବ୍ରହ୍ମଭଟ୍ଟଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ବାଘୋଡିଆ ସର୍କଲରେ ଏକ ମିନି ଟ୍ରକ ଚାଳକ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ 11 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 17 ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି ଟ୍ଵିଟ କରିଛନ୍ତି ଯେ, ବଡୋଦରାରେ ହୋଇଥିବା ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ। ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଶାସନ ଦୁର୍ଘଟଣା ସ୍ଥଳୀରେ ଯଥା ସମ୍ଭବ ସହାୟତା କରୁଛନ୍ତି।
ସେହିପରି ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଲେଖିଛନ୍ତି ଯେ, ବଡୋଦରା ନିକଟରେ ହୋଇଥିବା ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ। ଅଧିକାରୀଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପ୍ରାର୍ଥନା କରୁଛି।