ସୁରକ୍ଷା ବ୍ୟବସ୍ଥା ଦ୍ଵାରା ନମାଜ ପାଠ ବାଧାପ୍ରାପ୍ତ ନ ହେବାକୁ ମଧ୍ୟ କହିଲେ କୋର୍ଟ। ଶିବଲିଙ୍ଗକୁ ସୁରକ୍ଷା ଛଡା, ବାରଣାସୀ ଜିଲ୍ଲା କୋର୍ଟ ସମସ୍ତ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ କୋର୍ଟ।
ଗତକାଲି ବାରଣାସୀ କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଯେଉଁଠାରେ ଶିବଲିଙ୍ଗ ମିଳିଛି ସେହି ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାରାଣାସୀର ଜ୍ଞାନବାପୀର ହୋଇଥିବା ସର୍ଭେ ସମୟରେ ଏକ କୂଅରୁ ମିଳିଥିବା ଶିବଲିଙ୍ଗ ଏହା ଏକ ମନ୍ଦିର ବୋଲି ପ୍ରମାଣ କରୁଥିବା, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସଭାପତି ତଥା ବରିଷ୍ଠ ଆଡଭୋକେଟ୍ ଶ୍ରୀ ଆଲୋକ କୁମାର କହିଥିଲେ।
ତେବେ ଜାଣନ୍ତୁ ଏହାର ଇତିହାସ…
ଜ୍ଞାନବ୍ୟାପୀ ମସଜିଦ୍ ନା ଜ୍ଞାନବାମ୍ଫି ମନ୍ଦିର ? ଜଣା ପଡିବ ଏହାର ପ୍ରକୃତ ହିନ୍ଦୁ ଇତିହାସ। ହୃତ ଗୌରବ ଫେରି ପାଇବେ କାଶୀ ବିଶ୍ଵନାଥ।
କାଶୀ ବିଶ୍ଵନାଥ ମନ୍ଦିରକୁ ଭାଙ୍ଗି ମୋଗଲ ସମ୍ରାଟ ଔରଙ୍ଗଜେବ ତିଆରି କରିଥିଲେ ଜ୍ଞାନବାପୀ ମସଜିଦ। ମୂଳ କାଶୀ ବିଶ୍ଵନାଥ ମନ୍ଦିର ୨୦୫୦ ବର୍ଷ ପୂର୍ବେ ରାଜା ବିକ୍ରମାଦିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । କାଶୀ ବିଶ୍ବନାଥ ମନ୍ଦିରକୁ ଲାଗି କରି ରହିଛି ଜ୍ଞାନବାପୀ ମସଜିଦ । ଇତିହାସକାରଙ୍କ ମତରେ ୧୬୬୯ରେ ଔରଙ୍ଗଜେବ କାଶୀ ବିଶ୍ୱନାଥ ମନ୍ଦିରର ଏକ ଅଂଶ ଭାଙ୍ଗି ନିର୍ମାଣ କରିଥିଲେ ଏହି ମସଜିଦ । ୧୯୯୧ରେ ବାରାଣସୀ ସିଭିଲ କୋର୍ଟରେ ଏକ ଯାଚିକା ଦାଖଲ କରାଯାଇ କୁହାଯାଇଥିଲା ଯେ, ଯେଉଁଠାରେ ଜ୍ଞାନବାପୀ ମସଜିଦ ରହିଛି ସେଠାରେ ପୂର୍ବରୁ କାଶୀନାଥ ବାବା ବିଶେଶ୍ବରଙ୍କ ମନ୍ଦିର ଥିଲା । ତେଣୁ ସେଠାରୁ ମସଜିଦକୁ ହଟାଇ ପୁନଶ୍ଚ ମନ୍ଦିର ନିର୍ମାଣ କରାଯାଉ ।
ଜ୍ଞାନବାପୀ ମସଜିଦକୁ ଦେଖିଲେ ଜଣା ପଡେ ଏହାକୁ ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଛି । ମସଜିଦର ଗମ୍ବୁଜ ତଳେ ପୂରାତନ ମନ୍ଦିର କାନ୍ଥ ସ୍ପଷ୍ଟ ଦେଖାଯାଉଛି। ଏହି ମସଜିଦ ପରିସରରେ ମା ଶୃଙ୍ଗାର ଗୌରୀ, ବିନାୟକ, ହନୁମାନ ଓ ଅନ୍ୟାନ୍ୟ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ଏବେ ବି ବିଦ୍ୟମାନ ରହିଛି । ବର୍ଷରେ ଥରେ ମାତ୍ର ଏହି ଦେବା ଦେବୀଙ୍କୁ ପୂଜା କରିବାକୁ ଅନୁମତି ମିଳେ। ଏହି ଦେବା ଦେବୀଙ୍କର ଦୈନିକ ଉପାସନା ଅନୁମତି ପାଇଁ ଏବେ ପାଞ୍ଚ ଜଣ ମହିଳା ବାରାଣାସୀ ସିଭିଲ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ।
କ’ଣ ଏହି ଜ୍ଞାନବାପି ?
କାଶୀ ବିଶ୍ଵନାଥ ମନ୍ଦିର ଓ ମସଜିଦ ମଝିରେ ଅଛି ଏକ କୂପ, ଯାହାର ମୂଳ ନାମ `ଜ୍ଞାନବାମ୍ଫି’। ପ୍ରକାରାନ୍ତରେ ଏହା ଜ୍ଞାନବାପୀ ନାଁରେ ଉଚ୍ଚାରିତ ହୁଏ । ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ଭଗବାନ ଶିବ ନିଜେ ତ୍ରିଶୂଳ ଦ୍ବାରା ଏହାକୁ ଖୋଳି ଥିଲେ। ଏଠାରେ ହିଁ ଶିବ, ଦେବୀ ପାର୍ବତୀଙ୍କୁ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ ।
କାଶୀ ବିଶ୍ଵନାଥ ମନ୍ଦିର ଉପରେ ମୁସଲମାନ ଶାସକମାନଙ୍କ ଆକ୍ରମଣ ଔରଙ୍ଗଜେବଙ୍କ ଆଗରୁ ମଧ୍ୟ ହୋଇଛି । ୧୧୯୪ ମସିହାରେ ମହମ୍ମଦ ଘୋରୀଙ୍କ ସେନାପତି କୁତବୁଦ୍ଦିନ ଆଇବାକ ମୂଳ ବିଶ୍ୱନାଥ ମନ୍ଦିର ଭାଙ୍ଗି ଥିଲେ । ୧୨୩୦ ରେ ଗୁଜରାଟର ଜଣେ ବ୍ୟବସାୟୀ ଏହି ଭଗ୍ନ ମନ୍ଦିରର ପୁନଃନିର୍ମାଣ କରିଥିଲେ। ୧୪୮୯-୧୫୧୭ ମଧ୍ୟରେ ସିକନ୍ଦର ଲୋଦିଙ୍କ ଦ୍ୱାରା ମନ୍ଦିରଟି ପୁନର୍ବାର ଭଙ୍ଗା ଗଲା। ବିଶ୍ୱନାଥ ମନ୍ଦିରର ବର୍ତ୍ତମାନର ରୂପ ୧୭୮୦ ମସିହାରେ ଇନ୍ଦୋରର ମହାରାଣୀ ଅହିଲ୍ୟା ବାଇ ହୋଲକର ଦ୍ୱାରା ନିର୍ମିତ। ୧୯୮୩ ପରଠାରୁ ଉତ୍ତରପ୍ରଦେଶ ସରକାର ଏହି ମନ୍ଦିର ପରିଚାଳନା କରୁଛନ୍ତି।
ବାବରି ମସଜିଦ ଭଳି ଜ୍ଞାନବାପୀ ମସଜିଦ ମଧ୍ୟ ହିନ୍ଦୁମାନଙ୍କ ଧର୍ମ ବିଶ୍ବାସ ଉପରେ ମୁସଲମାନ ଶାସକମାନେ କରିଥିବା ଅତ୍ୟାଚାର ଓ ଅନାଚାରର ପ୍ରତୀକ। ଏଣୁ ଆଗକୁ କ’ଣ ହେଉଛି, ତାହା ଦେଖିବାକୁ ସମ୍ପୁର୍ଣ୍ଣ ହିନ୍ଦୁ ସମାଜ ଅନାଇ ବସିଛି।