ବାରାଣସୀର ପ୍ରସିଦ୍ଧ ଜ୍ଞାନବାପି ମସଜିଦ୍ ପରିସରରେ ସର୍ବେକ୍ଷଣକୁ ନେଇ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ପ୍ରଥମ ଶୁଣାଣି ହୋଇଛି । ଏଥିରେ ଶିବଲିଙ୍ଗ ସ୍ଥାନକୁ ସୁରକ୍ଷିତ ରଖିବାକୁ ଏବଂ ଏହା ସହିତ ମୁସଲିମ ମାନଙ୍କୁ ଉପାସନା କରିବାକୁ ବନ୍ଦ କରାଯିବ ନାହିଁ ବୋଲି କୋର୍ଟଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।
ଆଲ୍ଲାହାବାଦ ହାଇକୋର୍ଟଙ୍କ ଆଦେଶକ୍ରମେ ଉତ୍ତର ପ୍ରଦେଶ ବାରାଣସୀର ଜ୍ଞାନବାପି ମସଜିଦର ସର୍ବେକ୍ଷଣ ହୋଇଥିଲା । ସର୍ଭେ ଶେଷ ହୋଇଥିବା ବେଳେ ମସଜିଦ୍ ପରିସରରୁ ଶିବଲିଙ୍ଗ ମିଳିବାର ସୂଚନା ସୃଷ୍ଟି କରିଛି ଚର୍ଚ୍ଚା ଓ ବାଦ ବିବାଦ।
ମସଜିଦ ପରିସରରେ ଆହୁରି କଣ ଅଛି ଜାଣିବା ପାଇଁ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିତରେ ଉତ୍ସୁକତା ବଢିଛି। ଅପରପକ୍ଷରେ ମସଜିଦରେ ସର୍ଭେ କରିବା ୧୯୯୧ ପ୍ଲେସେସ ଅଫ ଓରସିପ ଆକ୍ଟର ଉଲଂଘନ ବୋଲି ଆଭିଯୋଗ ହେବାପରେ ଏହା କେବଳ ସର୍ଭେ ଓ ୧୯୯୧ ଆକ୍ଟର ଉଂଲଂଘନ ନୁହେଁ ବୋଲି ହିନ୍ଦୁ ପକ୍ଷ ତରଫରୁ ସ୍ପଷ୍ଟ କରାଯାଇଛି। ୧୯୪୭ ମସିହାରେ ପୂଜାସ୍ଥଳୀରେ ସ୍ଥିତାବସ୍ଥା ଯାହା ଥିଲା ତାହା ହିଁ ରହିବ।
ସର୍ଭେ ଶେଷ ହେବାପରେ, କୋର୍ଟ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୌଣସି ବ୍ୟକ୍ତିଙ୍କୁ ସେଠାକୁ ନଯିବାକୁ କୋର୍ଟର ନିର୍ଦ୍ଦେଶ ରହିଛି। ସୁରକ୍ଷା ଦାୟିତ୍ବ ଜିଲ୍ଲା ପ୍ରଶାସନ ଏବଂ ସିଆରପିଏଫକୁ ପ୍ରଦାନ କରାଯାଇଛି ।