କଲେଜରେ ଏହି ଗୋଲାପ ଫୁଲ ଭାରି ଦରକାର ହୁଏ। ମନର ମଣିଷକୁ ନିଜର କରିବା ପାଇଁ ପ୍ରେମିକ-ପ୍ରେମିକା ମାନେ ଏହାକୁ ଦିଅନ୍ତି। ଆଉ କଲେଜରୁ ପାଇଥିବା ପ୍ରଥମ ଗୋଲାପ ସମସ୍ତେ ନିଜର ମନପସନ୍ଦର ବହିରେ ସାଇତି ରଖିଥାନ୍ତି। ତେବେ ଏହି ଗୋଲାପ ପ୍ରକୃତ ମଣିଷ ଜୀବନ କ’ଣ ତାହା ବୁଝାଇଥାଏ। କୋମଳ ପାଖୁଡ଼ା ପାଖରେ କଣ୍ଟା. ଜୀବନର ଘାତ ପ୍ରତିଘାତକୁ ବୁଝାଏ। ଆମେ କେବଳ ପାଖୁଡ଼ା ପରି କୋମଳ ଭଳି ନୁହେଁ, କଣ୍ଟା ପରି ଜୀବନର ସବୁ ଝଡକୁ ପାରି ହେବାକୁ ଏହା ସଙ୍କେତ ଦିଏ।
ଶ୍ରୀ ଅରବିନ୍ଦଙ୍କ ଭାଷାରେ ଗୋଲାପ ବହୁ ପାଖୁଡା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ୱକୁ ପ୍ରସ୍ଫ୍ରୁଟିତ କରିବାପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦିଏ । ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । ସେହିପରି ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ ।
ଗୋଲାପୀ ରଙ୍ଗର ଗୋଲାପ ଗୌରବ ଓ କମନୀୟତାର ପ୍ରତୀକ ଭାବେ ବିବେଚିତ । ହଳଦୀରଙ୍ଗର ଗୋଲାପରେ ଉଷ୍ମତା ଓ ଆନନ୍ଦର ଅଫୁରନ୍ତ ଉତ୍ସ ଭରି ରହିଛି । ବନ୍ଧୁତାର ଏକ ସାର୍ଥକ ପ୍ରତୀକ ହେଉଛି ହଳଦିଆ ଗୋଲାପ । ସ୍ୱଚ୍ଛତା ଓ ସାଧୁତାର ସଙ୍କେତ ବହନ କରେ ଧଳା ଗୋଲାପ। ବିବାହ କିମ୍ବା କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ ସହିତ ଧଳା ଗୋଲାପ ଜଡିତ । ଖାଲି ସେତିକି ନୁହେଁ ଧଳା ଗୋଲାପ ଶ୍ରଦ୍ଧା ଓ ସମ୍ମାନର ପ୍ରତିକ ।କମଳା ରଙ୍ଗ ଗୋଲାପରେ ଅଭିଳାଷ ଓ ଉତ୍ସାହ ସନ୍ନିବେଶିତ ହୋଇ ରହିଛି । ପ୍ରେମ ପ୍ରତି ବ୍ୟଗ୍ରତା କମଳା ରଙ୍ଗର ଗୋଲାପ ଦର୍ଶାଇଥାଏ । କମଳା ରଙ୍ଗର ଗୋଲାପ ଗୁଚ୍ଛ ଏ ସମ୍ପର୍କିତ ଏକ ଅର୍ଥପୁର୍ଣ୍ଣ ବାର୍ତ୍ତା ବହନ କରେ । ନୀଳ ଲୋହିତ ବା ବାଇଗଣି ଗୋଲାପ ଅନେକ ହୃଦୟକୁ ଜୟ କରେ । ବିମୋହନର ଯଥାର୍ଥ ପ୍ରତୀକ ଅଟେ ବାଇଗଣି ଗୋଲାପ।
ଧଳା ଗୋଲାପ ଶାନ୍ତିର ପ୍ରତୀକ। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରଠାରୁ ଜର୍ମାନୀରେ ଏହାର ପ୍ରଚଳନ ଆରମ୍ଭ ହୋଇଥିଲା । ଚାଙ୍ଗୁଡି ଭର୍ତ୍ତି ଲାଲ ଗୋଲାପକୁ ପ୍ରେମର ପ୍ରତୀକ ଭାବେ ବିଚାର କରାଯାଏ ।ସେଥିପାଇଁ ଭାଲେଣ୍ଟାଇନ୍ସ ଡେ ରେ ଏହା ଉପହାର ଭାବେ ପ୍ରଚଳିତ ଅଛି।
ଏଇ ଗୋଲାପ ଦିଆନିଆରୁ ପ୍ରେମର ସପ୍ତାହ ଆରମ୍ଭ ହୋଇ ଫେବ୍ରୁଆରି ୧୪ ଭାଲେଣ୍ଟାଇନ୍ସ ଡେ ଯାଏଁ ଚାଲେ। ୭ ଦିନ ଧରି ଏହି ପ୍ରେମ ସପ୍ତାହ ପାଳନ କରାଯାଏ ।