ନୂଆଦିଲ୍ଲୀ: ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ତ୍ୱାବଧାନରେ ଉତ୍କଳ କେଶରୀ ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆସନ୍ତା ଏପ୍ରିଲ ୯ ତାରିଖ , ୨୦୨୧ ରେ ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଅର୍ନ୍ତଜାତୀୟ କେନ୍ଦ୍ରଠାରେ ଉନ୍ମୋଚନ ହେବାକୁ ଯାଉଛି । କୌଣସି ପ୍ରକାର ଚିନ୍ତାଧାରାର ମହତ୍ତ୍ୱ ସେତିକିବେଳେ ଅଧିକ ବୃଦ୍ଧି ଘଟିଥାଏ ଯେତେବେଳେ ଏହାକୁ ପ୍ରଦାନ କରୁଥିବା ଅଥବା ସଙ୍କଳିତ କରୁଥିବା ବ୍ୟକ୍ତିତ୍ୱର ନିଜସ୍ୱ ଜୀବନ ପ୍ରେରଣାର ଉତ୍ସ ହୋଇଥାଏ । ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଆଧୁନିକ ଓଡ଼ିଶାର ନବନିର୍ମାତା ଭାବେ ପରିଚିତ । ତାଙ୍କ କୃତିତ୍ୱର ପ୍ରେରଣାଦାୟୀ ଅନୁଭୂତି କେବଳ ଯେ ଓଡ଼ିଶା ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଭାରତ ବର୍ଷକୁ ଅନୁପ୍ରେରିତ କରିଥାଏ ।
ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ଦେଶର ବୃହତ୍ତମ ବର୍ଗକୁ ଓଡ଼ିଶାର ଇତିହାସ ସହିତ ସମକାଳୀନ ଭାରତର ପରିସ୍ଥିତି, ସ୍ୱାଧିନତା ସଂଗ୍ରାମ ତଥା ଗଡ଼ଜାତ ରାଜ୍ୟଗୁଡ଼ିକର ଏକତ୍ରୀକରଣ ଉଦ୍ୟମର ଜୀବନ୍ତ ପ୍ରମାଣ ପ୍ରଦାନ କରିବ । ଆମ ଦେଶ ସ୍ୱାଧିନତା ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଏହି ପୁସ୍ତକର ପ୍ରକାଶନ, ସ୍ୱାଧିନତା ଆନ୍ଦୋଳନ ତଥା ରାଷ୍ଟ୍ର ନିର୍ମାଣରେ ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇଥିବା ମହାତ୍ମାମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।
ପୁସ୍ତକ ଉନ୍ମୋଚନ ଅବସରରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିମାମୟ ଉପସ୍ଥିତି ତଥା ଇତିହାସ ଓ ସଂସ୍କୃତି ବିଷୟରେ ତାଙ୍କ ଠାରୁ ଉଦ୍ବୋଧନ ମଧ୍ୟ ପ୍ରାପ୍ତ ହେବ । ଏହି ସ୍ୱତନ୍ତ୍ର ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଭର୍ତ୍ତୃହରି ମହତାବ, ସାଂସଦ, କଟକ ମଧ୍ୟ ଉପସ୍ଥିତ ରହିବେ ।
ଲେଖକଙ୍କ ସଂକ୍ଷିପ୍ତ ପରିଚୟ
ଡଃ ହରେକୃଷ୍ଣ ମହତାବ ଭାରତର ସ୍ୱାଧିନତା ସଂଗ୍ରାମର ବିଶିଷ୍ଟ ନାୟକ ଥିଲେ । ଦେଶ ସ୍ୱାଧିନ ହେବା ପରେ ସେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ (୧୯୪୬-୧୯୫୦) ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ସେ ୧୯୫୬-୧୯୬୧ ପର୍ଯ୍ୟନ୍ତ ପୁର୍ନବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ରାଜ୍ୟର ସେବା କରିବାର ସୁଯୋଗ ମିଳିଥିଲା । ସ୍ୱାଧିନତା ଆନ୍ଦୋଳନ ସମୟରେ ୧୯୪୨-୧୯୪୫ ପର୍ଯ୍ୟନ୍ତ ସେ କାରାଗାର ବରଣ କରିଥିଲେ । ଅହମଦନଗର ଦୁର୍ଗ କାରଗାରରେ ବନ୍ଦୀ ଜୀବନ ବିତାଉଥିବା ବେଳେ ଡଃ ମହତାବ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ ।