ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଭାରତର ପ୍ରଥମ ସଚିବ ସ୍ନେହା ଦୁବେ। ମିଳିତ ଜାତିସଂଘ ସାଧାରଣ ସଭା ସମ୍ମୁଖରେ ଭାରତ ପକ୍ଷରୁ ଉତ୍ତର ରଖିଥିଲେ ସ୍ନେହା । ସେ ବହୁତ ପ୍ରଭାବଶାଳୀ ଢଙ୍ଗରେ ଇମ୍ରାନ ଖାନଙ୍କୁ କାଶ୍ମୀର ପ୍ରସଙ୍ଗରେ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ, ଥିଲା ଏବଂ ରହିବ। ପାକିସ୍ତାନର ବେଆଇନ ଦଖଲରେ ଆଉ କିଛି ଅଞ୍ଚଳ ରହିଛି। ଏହାର ବେଆଇନ ଦଖଲରେ ଥିବା ସମସ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଆମେ ପାକିସ୍ତାନକୁ ଆହ୍ୱାନ କରୁଛୁ ବୋଲି ସ୍ନେହା ଦୁବେ କହିଛନ୍ତି । ତେବେ ଆଇଏଫଏସ ଅଫିସର ସ୍ନେହା ଦୁବେଙ୍କ ଏହି ଦୃଢକ୍ତି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଟ୍ୱିଟର ଠାରୁ ଫେସବୁକ୍ ପର୍ଯ୍ୟନ୍ତ ଲୋକମାନେ ଏହି ଶକ୍ତିଶାଳୀ ମହିଳା ଅଧିକାରୀଙ୍କ ବିଷୟରେ ଖୋଜିବା ଆରମ୍ଭ କରିଦେଲେଣି।
ଏହି ଶକ୍ତିଶାଳୀ ମହିଳା ସେହ୍ନା ଦୁବେ ୨୦୧୨ ବ୍ୟାଚ୍ ଆଇଏଫଏସ୍ (ଭାରତୀୟ ବୈଦେଶିକ ସେବା) ଅଧିକାରୀ। ସେ ଗୋଆରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ। ଏହା ପରେ ସେ ପୁଣେର ଫର୍ଗୁସନ୍ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଏବଂ ଶେଷରେ ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ରୁ ତାଙ୍କର ଏମ୍ଫିଲ୍ କରିଥିଲେ।