ଆଇଆଇଟି-ମାଡ୍ରାସ୍ ଗୋଟିଏ 3D ଉପକରଣ ନିର୍ମାଣ କରିଛି। ଯାହା ମାତ୍ର ଅଧ ମିନିଟ୍ରେ ଅପମିଶ୍ରିତ ଦୁଗ୍ଧ ଚିହ୍ନଟ କରିବ। ଏହି କାଗଜଭିତ୍ତିକ ପୋର୍ଟାବଲ୍ ଉପକରଣ ଆପଣଙ୍କ ନିତ୍ୟ ବ୍ୟବହାରରେ ଲାଗି ପାରିବ। ଦୁଗ୍ଧ ଅପମିଶ୍ରଣ ନିମନ୍ତେ ବ୍ୟବହାର ହେଉଥିବା ୟୁରିଆ, ଡିଟର୍ଜେଣ୍ଟ୍, ସାବୁନ, ମଣ୍ଡ, ହାଇଡ୍ରୋଜେନ୍ ପେରୋକ୍ସାଇଡ୍, ସୋଡିୟମ୍-ହାଇଡ୍ରୋଜେନ୍-କାର୍ବୋନେଟ୍ ଏବଂ ଲୁଣ ଆଦି ଉପାଦାନକୁ ଏହି ଉପକରଣ ଠିକ୍ ଭାବେ ଚିହ୍ନଟ କରିପାରିବ। ମାତ୍ର ୧ ମଲି ଲିଟର ନମୂନା ଏହି ଅପମିଶ୍ରଣ ପରୀକ୍ଷା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି।
ଦୁଗ୍ଧ ଛଡ଼ା ଏହାକୁ ପାଣି, ଫ୍ରେସ୍ ଜୁସ୍ ଏବଂ ମିଲ୍କ୍ସେକ୍ ଆଦି ତରଳ ପଦାର୍ଥରେ ଥିବା ଅପମିଶ୍ରିଣ ଚିହ୍ନଟ ପାଇଁ ବ୍ୟବହାର କରାଯିବ ବୋଲି IIT ମାଡ୍ରାସର ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ମେକାନିକାଲ୍ ଇଞ୍ଜିନିୟରିଙ୍ଗ୍ ବିଭାଗର ସହକାରୀ ପ୍ରଧ୍ୟାପକ ଡକ୍ଟର୍ ପଲ୍ଲବ ସିହ୍ନାଙ୍କ ନେତୃତ୍ବରେ ଶୁଭାଶିଷ ପଟାରି ଓ ପ୍ରିୟଙ୍କା ଦତ୍ତ ମିଳିତ ଭାବେ ଏହି ଗବେଷଣା ସନ୍ଦର୍ଭକୁ ପ୍ରସ୍ତୁତ କରିଛନ୍ତି। ଡକ୍ଟର୍ ସିହ୍ନା କହିଛନ୍ତି ଯେ, ଏହି ଉପକରଣଟି ତରଳ ଖାଦ୍ୟ ସୁରକ୍ଷା ତନଖି କରିବାରେ ସହାୟକ ହେବ। ସହରାଞ୍ଚଳଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅପମିଶ୍ରିତ ଦୁଗ୍ଧ ଯାଞ୍ଚ କରିବାରେ ଏହାର ଚାହିଦା ରହିବ।
ଏହି ଯାଞ୍ଚ ଉପକରଣଟି ଦେଖିବାକୁ କାଗଜ ଭଳିଆ। ଯାହାର ୪ଟି ସ୍ତର ରହିଛି। କଭରଗୁଡିକ ଦ୍ବିପାକ୍ଷିକ ଟେପ ଦ୍ବାରା ଆବୃତ୍ତ ରହିଥାଏ। ଏହାର ନିର୍ମାଣ ପାଇଁ Whatman filter paper grade 4 ଭଳି ସାମଗ୍ରୀ ବ୍ୟବହାର କରାଯାଇଛି ବୋଲି ସିହ୍ନା କହିଛନ୍ତି। ଭାରତ, ପାକିସ୍ତାନ, ଚାଇନା ଭଳି ଦେଶରେ କ୍ଷୀର ଅପମିଶ୍ରଣ ପ୍ରସଙ୍ଗ ସାମ୍ନାକୁ ଆସିଛି। ଏଭଳି ଦୁଗ୍ଧ ପାନ କରିବା ଦ୍ବାରା ମଣିଷ ଶରୀର ଧୀରେଧୀରେ ରୋଗାକ୍ରାନ୍ତ ହୁଏ। ଏପରିକି କ୍ୟାନସର, କିଡନୀ ସମସ୍ୟା, ଶିଶୁ ମୃତ୍ୟୁ, ପାକସ୍ଥଳୀରେ ଜଟିଳତା ଭଳି ଜଟିଳ ସମସ୍ୟା ଭୋଗିବାକୁ ପଡେ। ଏହି ଉପକରଣ ଆମ ସାମାଜିକ ଜୀବନରେ ପରିବର୍ତ୍ତନ ଆଣିବ ବୋଲି IITର ଏହି ଟିମ୍ ଆଶାବାଦୀ ଅଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ