ଭାରତ ପୂର୍ବରୁ ଗହମ ଓ ବାସୁମତି ଚାଉଳ ରପ୍ତାନୀ ବନ୍ଦ କରି ଦେଇଛି। ଏବେ ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟିକ କଟକଣା ପରେ ଡାଲି ଆମଦାନୀ ହ୍ରାସ ପାଇଛି ବୋଲି ଏକ୍ସପର୍ଟ ଅନୁମାନ କରୁଛନ୍ତି। ତେବେ ଭାରତ ସରକାରଙ୍କ ଜଣେ ଅଫିସର କିନ୍ତୁ ଏକ୍ସପର୍ଟଙ୍କ ଏପରି ଦାବିକୁ ଖଣ୍ଡନ କରିଛନ୍ତି। ଆମଦାନୀ କର୍ତ୍ତାଙ୍କୁ କୌଣସି ପ୍ରକାର ଆମଦାନୀ ବନ୍ଦ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି।
ତେବେ କାନାଡ଼ା ବୈଶିକ ବ୍ୟାପାର ବିଭାଗ(କାନାଡ଼ା ଗ୍ଲୋବାଲ ଏଫେୟାର୍ସ ଡିପାର୍ଟମେଣ୍ଟ) ସୂଚାଇଛି ଯେ ଭାରତ ଓ କାନାଡ଼ା ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ଉପରେ ପ୍ରଭାବ ପକାଇଲା ଭଳି କାନାଡ଼ା ଏପର୍ଯ୍ୟନ୍ତ କୌଣସି ସିଧାସଳଖ ନିଷ୍ପତ୍ତି ନେଇ ନାହିଁ। ତେବେ ଭାରତୀୟ ଆମଦାନୀ କର୍ତ୍ତାଙ୍କ ମଧ୍ୟରେ ଅନିଚ୍ଛା ସତ୍ତ୍ୱେ ବି କାନାଡ଼ାର ଡାଲି ରପ୍ତାନୀରେ କୌଣସି ପ୍ରଭାବ ପଡ଼ି ନାହିଁ ବୋଲି ସଂସ୍ଥା କହିଛି।।
ତେବେ ଭାରତରେ ମସୁର ଉତ୍ପାଦନ ହ୍ରାସ ପାଇଥିବାରୁ ବର୍ତ୍ତମାନ ଏହି ଡାଲିର ମୂଲ୍ୟ ଅଧିକ ରହିଛି। ତେବେ କାନାଡ଼ା ସହ ସମ୍ପର୍କ ଖରାପ ହେବା ପରେ ମସୁର ଆମଦାନୀରେ ୬ ପ୍ରତିଶତ ହ୍ରାସ ହୋଇ ୭୭୦ ଆମେରିକୀୟ ଡଲାର ମେଟ୍ରିକ୍ ଟନ୍ରେ ପହଞ୍ଚିଛି ବୋଲି ଜଣେ ରପ୍ତାନିକାରୀ କେଭିନ ପ୍ରାଇସ୍ କହିଛନ୍ତି।
ଏବେ କାନାଡ଼ା ଠାରୁ ମସୁର ଡାଲି ଆମଦାନୀର ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛନ୍ତି ଭାରତୀୟ ଆମଦାନିକାରୀ। ଏଥିପାଇଁ ଅଷ୍ଟ୍ରେଲିଆ ଆଡ଼କୁ ମୁହାଁଇଛନ୍ତି। ଅଷ୍ଟ୍ରେଲିଆ ଠାରୁ ମସୁର ଆମଦାନୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଭାରତୀୟ ବ୍ୟବସାୟୀ। ତେବେ ବର୍ତ୍ତମାନ ଭାରତରେ ଡାଲି ମୂଲ୍ୟ ଆକାଶ ଛୁଆଁ ରହିଛି। ଏପରି ସ୍ଥିତିରେ ଯଦି ଆମଦାନୀ ଉପରେ କଟକଣା ଲଗାଯାଏ ତେବେ ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ମୁମ୍ବାଇ ସ୍ଥିତ ଡିଲରମାନେ ଆଶଙ୍କା କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର