ଆମେରିକାନ୍ ପପ୍ ସିଙ୍ଗର୍ ରିହାନା ଏବଂ ସ୍ୱେଡ଼ିସ୍ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା କୃଷି ଆନ୍ଦୋଳନ ସମର୍ଥନରେ ଟ୍ୱିଟ୍ କରିବା ପରେ ଏବେ ଭାରତରେ ଆରମ୍ଭ ହୋଇଛି ବିଦେଶୀ ହସ୍ତକ୍ଷେପ ବିରୋଧରେ ଅଭିଯାନ । ଭାରତର କୌଣସି ଆଭ୍ୟନ୍ତରୀଣ ପ୍ରସଙ୍ଗ ବାବଦରେ ବିଶେଷ କିଛି ନଜାଣି କୌଣସି ହଟଚମଟ ସୃଷ୍ଟିକାରୀ ମନ୍ତବ୍ୟ ନଦେବା ପାଇଁ ଚେତାବନୀ ଦିଆଯାଇଛି।
ଏହା ବିରୋଧରେ ଭାରତର ବର୍ହିବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଜାରି କରିଛନ୍ତି ଏକ ପ୍ରେସ୍ ବିବୃତି । ବିବୃତିରେ କୁହାଯାଇଛି, ଦେଶରେ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସଂସଦ ମାଧ୍ୟମରେ କୃଷି ଆଇନ୍ ଆଇନ୍ ପ୍ରଣୟନ କରାଯାଇଛି । ଦେଶର ଏକ ନିର୍ଦ୍ଦିଷ୍ଟ ଏବଂ କ୍ଷୁଦ୍ର ଅଂଚଳର ମୁଷ୍ଟିମେୟ କୃଷକଙ୍କର କୃଷି ଆଇନକୁ ନେଇ କିଛି ସମସ୍ୟା ରହିଛି ଏବଂ ସେମାନେ ଏଥିପାଇଁ ଆନ୍ଦୋଳନ କରୁଛନ୍ତି । ସେମାନଙ୍କ ସମସ୍ୟା ସମାଧାନ ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଦୁର୍ଭାଗ୍ୟଜନକ ଭାବରେ କିଛି ନ୍ୟସ୍ତସ୍ୱାର୍ଥ ଅନ୍ଦୋଳନକାରୀ ଗଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବରେ ଦିଲ୍ଲୀରେ ହିଂସାକାଣ୍ଡ ସୃଷ୍ଟି କରି ଆନ୍ଦୋଳନକୁ ଭିନ୍ନ ମୋଡ଼ ଦେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ଆନ୍ଦୋଳନ ପାଇଁ ଆନ୍ତର୍ଜାତିକ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ଆନ୍ଦୋଳନ ପ୍ରସଙ୍ଗରେ କୌଣସି ସେଲେବ୍ରିଟି କିଛି ମନ୍ତବ୍ୟ ଦେବାପୂର୍ବରୁ ଏ ବାବଦରେ ସମସ୍ତ ତଥ୍ୟ ଜାଣିନେବା ଉଚିତ୍ ବୋଲି ପ୍ରେସ୍ ବିବୃତିରେ ପରାମର୍ଶ ଦିଆଯାଇଛି ।
ରିହାନା, ଥନବର୍ଗ ଏବଂ ଅନ୍ୟ ଆନ୍ତାର୍ଜାତିକ ସ୍ତରର ସେଲେବ୍ରିଟିମାନେ ଆନ୍ଦୋଳନ ବାବଦରେ କିଛି ନଜାଣି ଯେଉଁ ଅପପ୍ରଚାର ଚଳେଇଛନ୍ତି ସେମାନଙ୍କୁ ଭାରତର ଅନେକ ସେଲେବ୍ରିଟି ଏବଂ ରାଜନେତା କଡ଼ା ଜାବାବ ଦେଇଛନ୍ତି।
ପ୍ରଥମେ ଅଭିନେତ୍ରୀ କଙ୍ଗନା ରାଣାୱତ୍ ରିହାନା ଓ ଥନବର୍ଗଙ୍କୁ ଟ୍ୱିଟ୍ ମାଧ୍ୟରେ କଡ଼ା ଜବାବ୍ ଦେବାପରେ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ୍, ଅନୁପମ୍ ଖେର୍, ସୁନିଲ ସେଟ୍ଟି, ନିର୍ମାତା କରଣ ଜୋହର, ଗାୟକ କୈଳାସ ଖେର୍ ଏବଂ ଆହୁରି ଅନେକ ସେଲେବ୍ରିଟି ବିଦେଶୀ ହସ୍ତକ୍ଷେପକୁ ବିରୋଧ କରି ଟ୍ୱିଟ୍ କରିବାର ଦେଖାଯାଇଛି । ସମସ୍ତେ ସରକାରଙ୍କ ଉଦ୍ୟମ ଦ୍ୱାରା କୃଷକ ଆନ୍ଦୋଳନର ସମାଧାନ ହେବ ଏବଂ କୌଣସି ବିଦେଶୀ ଶକ୍ତି ଏଥିରେ ମୁଣ୍ଡ ଖେଳେଇବା ଆବଶ୍ୟକ ନାହିଁ ବୋଲି ଲେଖିବା ସହିତ ଇଣ୍ଡିଆ ଟୁଗେଦର ଏବଂ ଇଣ୍ଡିଆ ଏଗେନ୍ଷ୍ଟ ପ୍ରୋପାଗଣ୍ଡା ହାସ୍ଟ୍ୟାଗ୍ ମାଧ୍ୟମରେ ବିଦେଶୀ ଅପପ୍ରଚାରକୁ କଡ଼ା ଜବାବ୍ ଦେଇଛନ୍ତି ।
ଦେଶର ଅନେକ ରାଜନେତା ମଧ୍ୟ ଏହି ଅପପ୍ରଚାର ବିରୋଧି ଅଭିଯାନରେ ସାମିଲ ହୋଇଛନ୍ତି । ଦେଶର ୧୩୦ କୋଟି ନାଗରୀକ ଏକାଠି ଅଛନ୍ତି, କିଛି ନ ଜାଣି ଭାରତର କୌଣସି ଅଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀକୁ ବରଦାସ୍ତ କରାଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।