ଅର୍ଗସ ବ୍ୟୁରୋ: ଗତ ଏକ ମାସ ଧରି ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ସମସ୍ୟାର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। କିନ୍ତୁ, ଭାରତ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ନିଜର ପ୍ରସ୍ତୁତି ଜାରି ରଖିଛି। ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ମଧ୍ୟ ଭାରତୀୟ ସେନା। ଏ ନେଇ ଲଦାଖ (LAC) ନିକଟରେ ଏୟାରଷ୍ଟ୍ରିପ୍ ନିର୍ମାଣକୁ ଭାରତ ତୀବ୍ର କରିବା ସହ ଲଦାଖ ରେ ବୋଫର୍ସ ଆର୍ଟିଲିରି ନିୟୋଜନ କରାଯାଇଛି।
ଅନନ୍ତନାଗ ନିକଟରେ NH-44 ରେ ଏକ ଜରୁରୀକାଳୀନ ଏୟାରଷ୍ଟ୍ରିପ୍ ନିର୍ମାଣ ମଧ୍ୟ କରାଯାଉଛି | ଯାହାଦ୍ୱାରା କୌଣସି ଜରୁରୀକାଳୀନ ପରିସ୍ଥିତିରେ ଯୁଦ୍ଧ ବିମାନ କିମ୍ବା ଅନ୍ୟାନ୍ୟ ବିମାନ ଓହ୍ଲାଇ ପାରିବ।
ଚୀନ୍ ମଧ୍ୟ LAC ନିକଟରେ ଅନେକ ପ୍ରକାରର ବଙ୍କର ନିର୍ମାଣ କରିଛି ଏବଂ ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ଯୋଗାଣକୁ ସୀମାରେ ବୃଦ୍ଧି କରିଛି। ଅନ୍ୟପକ୍ଷରେ, ଭାରତ ପକ୍ଷରୁ ଲଦାଖ ନିକଟରେ ପ୍ରାୟ 60 ଟି ବୋଫର୍ସ ଆର୍ଟିଲିରି ପରୱାର୍ଡ ସ୍ଥିତିରେ ରଖାଯାଇଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ସେମାନେ ସୀମାରେ ଚୀନ୍ ସହ ହୋଇଥିବା ନୂତନ ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି, କିନ୍ତୁ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।
ବାୟୁସେନା ଦକ୍ଷିଣ କାଶ୍ମୀରର ବିଜବେହେର ଅଞ୍ଚଳ ନିକଟରେ NH-44 ଉପରେ ଏକ ଏୟାରଷ୍ଟ୍ରିପ୍ ନିର୍ମାଣ କରୁଛି ଯାହାର ଲମ୍ବ ପ୍ରାୟ 3 କିଲୋମିଟର ଅଟେ। ଚୀନ୍ ମଧ୍ୟରେ ତିକ୍ତତା ହେତୁ ଏହି ଷ୍ଟ୍ରିପ୍ ନିର୍ମାଣ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଛି, ଯାହା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
ମେ ମାସ ଆରମ୍ଭରେ ଲଦାଖ ଅଞ୍ଚଳରେ ଭାରତ ଏବଂ ଚୀନ୍ ସେନା ମୁଁହମୁହିଁ ହୋଇଥିଲେ । ଏହା ପରେ ଚୀନ୍ ନିଜର ସେନା ସଂଖ୍ୟା ବୃଦ୍ଧି କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ଉଭୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚୀନ୍ ସେନା ଏବେ ବିବାଦୀୟ ଅଞ୍ଚଳରୁ ଦୁଇ କିମି ପଛକୁ ଫେରିଛି। 6 ଜୁନ୍ ରେ ହେବାକୁ ଥିବା ଅନ୍ୟ ବାର୍ତ୍ତାଳାପ ପୂର୍ବରୁ ଏହା ଭଲ ସଙ୍କେତ ଅଟେ |
