ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଏହାପରେ ବିରୋଧୀ କଂଗ୍ରେସ ମୋଦିଙ୍କ ସମେତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛି । କେବଳ ସେତିକି ନୁହେଁ ମୋଦିଙ୍କ ବିପୁଳ ବିଜୟ ପରେ ନିରବ ଥିବା କଂଗ୍ରେସ ନୂଆ ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରିବ ବୋଲି ମଧ୍ୟ ପ୍ରକାଶ କରିଛି । ଏହାସହ ଭାରତ ଓ ଏହାର ନାଗରିକମାନଙ୍କ ପ୍ରଗତି ଓ ବିକାଶ ପାଇଁ ସରକାରଙ୍କ ସହ ମିଶି କାମ କରିବାକୁ ସେମାନେ ପ୍ରସ୍ତୁତ ଥିବା କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରାଯାଇଛି ।
Congratulations to PM @narendramodi and his new Cabinet Ministers. We wish them the best & look forward to working with them on the growth & development of India & all its citizens.
— Congress (@INCIndia) May 30, 2019
୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ ସିଟ ଜିତି ଐତିହାସିକ ରେକର୍ଡ ସୃଷ୍ଟି କରିଥିବା ବେଳେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇଛି । ବିରୋଧୀ ଦଳ ପାଇଁ ଆବଶ୍ୟକ ୫୫ଟି ଆସନରେ ଜିତିପାରି ନାହିଁ କଂଗ୍ରେସ । ଏଥର କଂଗ୍ରେସର କେବଳ ୫୨ ଜଣ ସଦସ୍ୟ ସଂସଦରେ ରହିବେ । ତେବେ ଗତକାଲିର ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ସାମିଲ ହୋଇଥିଲେ ।
