ନୂଆଦିଲ୍ଲୀ: ଭାରତରେ ଚାଲିଛି ବିଶ୍ୱର ସର୍ବବୃହତ କରୋନା ଟିକାକରଣ । ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଟିକା ନେବାକୁ ନେଇ ବଢୁଛି ଆଶା ଓ ଉତ୍କଣ୍ଠା। ସେହିପରି ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ମିଳିବ କୋରୋନା ଟିକା ଯାହାକୁ ନେଇ ପ୍ରସ୍ତୁତ ହୋଇଛି 10 ହଜାର ସ୍ୱାସ୍ଥ୍ୟକେନ୍ଦ୍ର । ତେବେ ଆପଣ ଜାଣିଛନ୍ତି କି କେମିତି କରିବେ କରୋନା ଟିକା ପାଇଁ ପଞ୍ଚିକରଣ ।
ଭାରତରେ ଜାରି ରହିଛି ବିଶ୍ୱର ସର୍ବବୃହତ କରୋନା ଟିକାକରଣ । ଯାହା ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ମାର୍ଚ୍ଚ ପହିଲାରୁ ଦେଶରେ ବୟସ୍କ ବ୍ୟକ୍ତି ଅର୍ଥାତ୍ 60 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଦିଆଯିବ କୋରୋନା ଟିକା । ଏହାସହ ଏକାଧିକ ରୋଗରେ ଚିକିତ୍ସିତ ହେଉଥିବା 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଏହି ଟିକାକରଣରେ ସାମିଲ କରାଯାଇଛି । ଯାହାକୁ ନେଇ ସମଗ୍ର ଭାରତରେ ପ୍ରସ୍ତୁତ ହୋଇଛି 10 ହଜାର ସ୍ୱାସ୍ଥ୍ୟକେନ୍ଦ୍ର ।
ଏହି ପ୍ରର୍ଯ୍ୟାୟରେ ସରକାରୀ ଓ ବେସରକାରୀ ମେଡିକାଲକୁ ସାମିଲ କରାଯାଇଛି । ସରକାରୀ ମେଡିକାଲରେ ଏହି ଟିକା ମାଗଣା ଦିଆଯାଉଥିବା ବେଳେ ବେସରକାରୀ ମେଡିକାଲରେ ଏହି ଟିକା ପାଇଁ ଅର୍ଥ ଦେବାକୁ ପଡ଼ିବ । ଯାହା ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦାରିତ କରିବ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ।
ତେବେ ଆପଣ ଜାଣିଛନ୍ତି କେମିତି କରିବେ ଭ୍ୟାକସିନ ପାଇଁ ପଞ୍ଚିକରଣ ।
ପ୍ରଥମ ଷ୍ଟେପ୍ – ପ୍ଲେ ଷ୍ଟୋରରେ CO-WIN ଆପ ଡାଉନଲୋଡ କରିବା କିମ୍ୱା WWW.COWIN.GOV.IN ୱେବସାଇଟ୍ ମାଧ୍ୟମରେ ବୟସ୍କ ବ୍ୟକ୍ତିମାନେ କୋରୋନା ଟିକା ପାଇଁ ପଞ୍ଚିକରଣ କରିପାରିବେ । ଯାହା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପରିଚାଳିତ କରାଯାଉଛି ।
ଦ୍ୱିତୀୟ ଷ୍ଟେପ୍ – ଏହି ଆପରେ ବୟସ୍କ ବ୍ୟକ୍ତିମାନେ ନିଜର ଆବଶ୍ୟକୀୟ କାଗଜପତ୍ର ଅପଲୋଡ କରିବା ଦରକାର । ଯେଉଁଥିରେ ଜଣେ ବ୍ୟକ୍ତି ନିଜର ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଭିଂ ଲାଇସେନ୍ସ, ପାସପୋର୍ଟ, ପେନସନ କାଗଜପତ୍ର ଅପଲୋଡ କରିପାରିବେ ।
ତୃତୀୟ ଷ୍ଟେପ୍ – ଆପରେ ଅଥେଣ୍ଟିକେସନ ପାଇଁ ଜଣେ ବ୍ୟକ୍ତି ଆଧାର କାର୍ଡକୁ ନିଜର ଫୋଟୋ ଆଇଡି ଭାବରେ ବ୍ୟବହାର କରିପାରିବେ । ତେବେ ଆପଣଙ୍କ CO-WIN ଆକାଉଣ୍ଟ ଆଧାର ଅଥେଣ୍ଟିକେସନ ଭାବେ କାର୍ଯ୍ୟ କରିବ । କେବଳ ଆଧାର ଅଥେଣ୍ଟିକେସନ ନୁହେଁ, ଜଣେ ବ୍ୟକ୍ତି ବାୟୋମେଟ୍ରିକ, OTP, ଡେମୋଗ୍ରାଫିକ୍ ଅଥେଣ୍ଟିକେସନ କରିପାରିବେ । ଯାହା ଭ୍ୟାକସିନ ଦେବା ସମୟରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ ।
ଚତୁର୍ଥ ଷ୍ଟେପ୍ – ପରେ ଉକ୍ତ ବ୍ୟକ୍ତି ଟିକାକରଣ ପାଇଁ ଆବେଦନ କରିପାରିବେ । ଏହାସହ ଏହି ଆପରେ 5ଟି ମୋଡୁଲେସନ ରହିଛି । ଯେପରିକି ଆଡମିନିଷ୍ଟ୍ରେଟର ମୋଡ୍ୟୁଲ, ରେଜିଷ୍ଟ୍ରେସନ ମୋଡ୍ୟୁଲ, ଭ୍ୟାକ୍ସିନେସନ ମୋଡ୍ୟୁଲ, ବେନିଫିସିଆରି ଆକନଲେଜମେଣ୍ଟ ମୋଡ୍ୟୁଲ ଓ ରିପୋର୍ଟ ମୋଡ୍ୟୁଲ ରହିଛି । ପରେ ବ୍ୟକ୍ତି ଜଣକ ରେଜିଷ୍ଟ୍ରେସନ ମୋଡ୍ୟୁଲ ଦ୍ୱାରା ଭ୍ୟାକ୍ସିନ ନେବା ପାଇଁ ନିବେଦନ କରିପାରିବେ ।
ପଞ୍ଚମ ଷ୍ଟେପ୍ – ଶେଷରେ ଜଣେ ବ୍ୟକ୍ତି ଭ୍ୟାକସିନ ପାଇଁ ଆବେଦନ କରିବା ପରେ ରେଜିଷ୍ଟ୍ରେସନ କରିଥିବା ମୋବାଇଲ ନମ୍ୱରରେ ଟିକା ନେବା ପାଇଁ ସ୍ଥାନ, ତାରିଖ ଓ ସମୟ ମେସେଜ ଆସିବ । ପରେ ଉକ୍ତ ବ୍ୟକ୍ତି ଜଣକ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ତେବେ ଭାରତରେ ଚାଲୁଥିବା ବିଶ୍ୱର ସର୍ବବୃହତ କରୋନା ଟିକାକରଣ ବେଶ ସଫଳତାର ସହ ଆଗେଇ ଚାଲିଛି ।