ଅର୍ଗସ ବ୍ୟୁରୋ: ଭାରତୀୟ ସେନା ଗତ ପାଂଚ ବର୍ଷ ମଧ୍ୟରେ ଖୁବ ଶକ୍ତିଶାଳୀ ହୋଇଛି । ଭାରତୀୟ ସେନାକୁ ଶକ୍ତିଶାଳୀ କରିବାକୁ ବିପୁଳ ମାତ୍ରାରେ ଅସ୍ତ୍ର ଶସ୍ତ୍ର କ୍ରୟ କରାଯାଇଛି । ବାସ୍ତବିକ ନିୟନ୍ତ୍ରଣ ରେଖା ହେଉ ବା ନିୟନ୍ତ୍ରଣ ରେଖା ହେଉ, ଭଉୟ ସ୍ଥାନରେ ଶତ୍ରୁ ଦେଶଙ୍କୁ ଉଚିତ ଜବାବ ଦେବା ପାଇଁ ଭାରତ ସମ୍ପୂର୍ଣ ଭାବେ ଗତ ପାଂଚ ବର୍ଷରେ ପ୍ରସ୍ତୁତି କରିଛି।
ମିଳିଥିବା ସୂଚନା ଅନୁସାରେ ଗତ ପାଂଚ ବର୍ଷ ମଧ୍ୟରେ ଭାରତକୁ ଆବଶ୍ୟକ ହେଉଥିବା ପ୍ରତିରକ୍ଷା ଉପକରଣ କ୍ରୟ କରିବାରେ ସମ୍ପୂର୍ଣ ଜୋର ଦିଆଯାଇଛି । ଭାରତ ନିଜର ପ୍ରତିରକ୍ଷା ଆବଶ୍ୟକତାକୁ ପୂର୍ଣ କରିବାକୁ କେତେ ପ୍ରତିବଦ୍ଧ ତାହା ଏହି କଥାରୁ ଅନୁମାନ କରାଯାଇ ପାରେ ଯେ ଗତ ପାଂଚ ବର୍ଷ ମଧ୍ୟରେ ଭାରତ ଆମେରିକା, ରୁଷ. ଫ୍ରାନ୍ସ,. ଇସ୍ରାଏସ ଓ ସ୍ପେନ ଭଳି ଦେଶ ମାନଙ୍କ ଠାରୁ 1.9 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କ୍ରୟ କରିଛି ।
ଏହି ସମୟ ମଧ୍ୟରେ ଭାରତ ବିଦେଶରୁ ଆସଲ୍ଟ ରାଇଫଲ ଠାରୁ ଆରମ୍ଭ କରି ରକେଟ ପର୍ଯ୍ୟନ୍ତ କ୍ରୟ କରିଛି । ଭାରତ ବିଦେଶରୁ ଯେଉଁ ସୈନ୍ୟ ଓ ପ୍ରତିରକ୍ଷା ଉପକରଣ କ୍ରୟ କରିଛି ସେଗୁଡିକ ମଧ୍ୟରେ ହେଲିକେପ୍ଟର, ରକେଟ, ବନ୍ଧୁକ, ଆସଲ୍ଟ ରାଇଫଲ, ବିମାନ ରାଡାର, କ୍ଷେପଣାସ୍ତ୍ର ଓ ଗୋଳା ବାରୁଦ ଆଦି ଅନ୍ୟତମ । ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଲୋକସଭାରେ ପଚରା ଯାଇଥିବା ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ।
ସେ ଦେଇଥିବା ସୂଚନା ଅନୁସାରେ 2017-18ରେ 30 ହଜାର 677 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ଭାରତ କ୍ରୟ କରିଛି । ସେହିପରି 2018 -19 ମସିହାରେ ଭାରତ 38 ହଜାର 116 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉପକରଣ ଖରିଦ କରିଛି । 2019-20ରେ ଭାରତ ସରକାର 40 ହଜାର 330 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କ୍ରୟ କରିଛନ୍ତି । ସେହିପରି 2020-21 ରେ 43 ହଜାର 916 କୋଟି ଟଙ୍କାର ଆବଶ୍ୟକୀୟ ପ୍ରତିରକ୍ଷା ଉପକରଣ କ୍ରୟ କରିଥିବା ବେଳେ 2021-22ରେ 40 ହଜାର 840 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କ୍ରୟ କରାଯାଇଛି ।
କେବଳ ସେତିକି ନୁହେଁ ଭାରତ ପ୍ରତିରକ୍ଷା ଉପକରଣ ତିଆରି ମାମଲାରେ ଆତ୍ମନିର୍ଭର ହେବା ଦିଗରେ ମଧ୍ୟ ଅଗ୍ରସର ହେଉଛି ।ଶ୍ରୀ ଭଟ୍ଟ କହିଛନ୍ତି ଯେ ସରକାର ପ୍ରତିରକ୍ଷା ଉପକରଣ ଖରିଦ ମାମଲାରେ ଆତ୍ମନିର୍ଭର ଭାରତ ଓ ମେକ ଇନ ଇଣ୍ଡିଆ ଉପରେ ଅଧିକ ଧ୍ୟାନ ଦେଉଛି । ବିଦେଶରୁ ରପ୍ତାନୀ ଉପରେ ନିର୍ଭରତାକୁ କମ କରିବା ଓ ସ୍ବଦେଶରେ ଆବଶ୍ୟକୀୟ ପ୍ରତିରକ୍ଷା ଉପକରଣ ନିର୍ମାଣ କରିବା ଭାରତ ସରକାରଙ୍କ ପ୍ରମୁଖ ଏଜେଂଡାରେ ଅଛି । ତେଣୁ ଏହାକୁ ନେଇ ଭାରତ ସରକାର ଏବେ ଅନେକ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଉଛନ୍ତି । ଏହା ବ୍ୟତୀତ ଅନେକ କ୍ଷେପଣାସ୍ତ୍ର ନିର୍ମାଣର କାମ ଏବେ ଭାରତରେ ହିଁ ହେବାରେ ଲାଗିଛି ।