ବେଙ୍ଗାଲୁର: ଟିଭିରୁ ଅନୁକରଣ କରି ଜୀବନ ଚାଲିଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏଭଳି ଏକ ଘଟଣା ପ୍ରକୃତ ଜୀବନରେ ଘଟିଥିବା ଜଣାପଡିଛି । ଜଣେ ନାବାଳିକା ଏଭଳି ଉଦ୍ୟମ କରି ପ୍ରାଣ ହାରିଛନ୍ତି । ସେ ଟିଭି ପରଦାରେ ଆତ୍ମହତ୍ୟା ଦୃଶ୍ୟ ଦେଖି ଅନୁକରଣ କରୁଥିଲେ ।
ବେଙ୍ଗାଲୁରର ଜଣେ ୧୧ ବର୍ଷୀୟା ନାବାଳିକାଙ୍କର ଟିଭି ପରଦାରେ ଆତ୍ମହତ୍ୟା ଦୃଶ୍ୟ ଦେଖି ତାହାକୁ ଅନୁକରଣ କରୁ କରୁ ଜୀବନ ଚାଲିଯାଇଛି । ରବିବାର ରାତିରେ ନିଜ ଘର ଭିତରେ ଦଉଡ଼ି ଦେଇ ଜୀବନ ଯାଇଥିବା ଜଣାପଡିଛି । ତେବେ ଏହି ନାବାଳିକା ଜଣଙ୍କ ଭୁଲ୍ବଶତଃ ନିଜ ଜୀବନ ହରାଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ୍ ସୂଚନା ଦେଇଛି ।
ଏକ ବେସରାକରୀ ସ୍କୁଲ୍ରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣଙ୍କ ଟିଭି ଦେଖିବା ବେଳେ ଘରେ ଏକୁଟିଆ ଥିଲେ । ନାବାଳିକାଙ୍କ ବାପାମାଆ ସେମାନଙ୍କ ଘରେ ବାହାରେ ଥିବା ସମୟରେ ଏହି ଅଘଟଣ ଘଟିଛି । ରାତି ପ୍ରାୟ ୯.୩୦ ସମୟରେ ନାବାଳିକାର ବାପାମାଆ ଘରକୁ ପଶି ଦେଖନ୍ତି ତ ତାଙ୍କ ଝିଅ ଦଉଡ଼ାରେ ଓହଳିଛି । ସେମାନେ ତାଙ୍କୁ ତଳକୁ ଓହ୍ଲାଇ ଆଣି ତୁରନ୍ତ ନିକଟସ୍ଥ ହସ୍ପିଟାଲ୍କୁ ନେଇ ଯାଇଥିଲେ । ହସ୍ପିଟାଲ୍ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ଘଟଣାର ପ୍ରାଥମିକ ତଦନ୍ତରୁ ଝିଅଟି ଟିଭିର ଏକ ଦୃଶ୍ୟକୁ ଅନୁକରଣ କରି ଏପରି କରିଥିବା ଅନୁମାନ କରାଯାଉଛି ।
