ନୂଆଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ 2ୟ ଇନିଂସ୍ ଗତକାଲି ଶପଥ ଗ୍ରହଣ ସମାରୋହ ଠାରୁ ଆରମ୍ଭ ହୋଇଯାଇଛି । ଏହାସହ ମୋଦିଙ୍କ ନୂଆ ଟିମ୍ ମଧ୍ୟ ଘୋଷଣା କରାଯାଇଛି । ଏଥିରେ 2ଜଣ ଓଡ଼ିଆ ତୁଙ୍ଗ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ଗତଥର କେନ୍ଦ୍ରମନ୍ତ୍ରୀ ପାହ୍ୟା ପାଇଥିବା ଜୁଏଲ ଓରାମ୍ କିନ୍ତୁ ଚଳିତ ଥର ମୋଦିଙ୍କ ନୂଆ ଟିମ୍ରୁ ବାଦ୍ ପଡିଛନ୍ତି । ତେବେ ଆଜି ନୂଆଦିଲ୍ଲୀ ସ୍ଥିତ ଜୁଏଲଙ୍କ ବାସଭବନରେ ଆଜି ବିଜେପି ତୁଙ୍ଗ ନେତାଙ୍କ ଭିଡ ଜମିଛି ।
ମୋଦିଙ୍କ ଟିମ୍ରେ ସ୍ଥାନ ପାଇବା ପରେ ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଜୁଏଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ଅନେକ ରାଜ୍ୟ ନେତା ତଥା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ମଧ୍ୟ ଜୁଏଲଙ୍କୁ ଭେଟିଛନ୍ତି ।
ଅନ୍ୟପଟେ ମୋଦିଙ୍କ ଟିମ୍ରେ ସାମିଲ ନହେବା ନେଇ ଜୁଏଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଗତଥର ମୋତେ କେନ୍ଦ୍ର କ୍ୟାବିନେଟରେ ଦାୟିତ୍ୱ ମିଳିଥିଲା, ଚଳିତ ଥର ଆଉ କାହାକୁ ମିଳିଛି । ଏହା ଏକ ସୁସ୍ଥ ଗଣତନ୍ତ୍ରର ପ୍ରକ୍ରିୟା ।
