ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ରାଜନାଥ ସିଂହଙ୍କ ହାତରୁ ଗୃହ ବିଭାଗ ଯାଇ ଅମିତ ଶାହଙ୍କ ନିକଟରେ ପହଞ୍ଚିଛି । ଆଜି ମୋଦି କ୍ୟାବିନେଟ୍ ପାହ୍ୟା ବଣ୍ଟନ ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୃହ ମନ୍ତ୍ରାଳୟ ଦାୟିତ୍ୱ ଅମିତ ଶାହଙ୍କୁ ଦିଆଯାଇଛି । ତେବେ ଶପଥ ପାଠ ସମୟରେ ହି ମନ୍ତ୍ରୀଙ୍କ ତାଲିକା ଅନୁସାରେ ପ୍ରାୟତଃ କିଏ କେଉଁ ଦାୟିତ୍ୱ ପାଇବ ତାହା ଆକଳନ କରାଯାଇଥାଏ । ତେବେ ଏଥର ମୋଦି କିନ୍ତୁ ମନ୍ତ୍ରୀ ତାଲିକା ସହ ମୋଦି ପୁଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ତେବେ ମନ୍ତ୍ରୀ ତାଲିକାରେ ମୋଦିଙ୍କ ପରେ ରାଜନାଥ ସିଂହ ନାମ ରହିଛି । କିନ୍ତୁ ତାଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ଦିଆଯାଇଛି ଓ ଶାହଙ୍କୁ ମିଳିଛି ସବୁଠାରୁ ଶକ୍ତିଶାଳୀ ଗୃହ ବିଭାଗ ।
ସୂଚନା ଯେ, ଗୁରୁବାର ମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବା କ୍ରମରୁ ହିଁ ସସ୍ପେନ୍ସ ଲାଗି ରହିଥିଲା । ରାଜନାଥ ସିଂହ 2014 ଭଳି ହିଁ ଚଳିତ ଥର ମଧ୍ୟ ମୋଦିଙ୍କ ପରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ରାଜନାଥ ସିଂହ । ଏଣୁ ଆଲୋଚନା ହେଉଥିଲା ଯେ ପୁଣି ରାଜନାଥ ସିଂହ ଗୃହ ବିଭାଗ ଦାୟିତ୍ୱ ନେଇପାରନ୍ତି । ସେହିପରି ଅମିତ ଶାହଙ୍କ ତୃତୀୟ ସ୍ଥାନରେ ଅର୍ଥାତ୍ ରାଜନାଥ ସିଂହଙ୍କ ତୁରନ୍ତ ପରେ ପଦ ଓ ଗୋପନୀୟତାର ଶପଥ ନେବା ପରେ ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଆଜି ମନ୍ତ୍ରୀ ପାହ୍ୟା ବଣ୍ଟନ ପରେ ସ୍ପଷ୍ଟ ହୋଇଯାଇଛି ଯେ, ବିଜେପି ଅଧ୍ୟକ୍ଷ ଅମିତ ଶାହ ଗୃହ ମନ୍ତ୍ରାଳୟ ଦାୟିତ୍ୱ ପାଇ ତୃତୀୟ ସ୍ଥାନରୁ ଆସି ଦ୍ୱିତୀୟରେ ପହଞ୍ଚିଛନ୍ତି ।
ପ୍ରକାଶ ଥାଉ କି, ବିଜେପି ଅଧ୍ୟକ୍ଷ ଅମିତ ଶାହ ପାଞ୍ଚ ପାଞ୍ଚ ଥର ବିଧାୟକ ରହି ସାରିଛନ୍ତି । ଗୁଜୁରାଟ ସରଖେଜ ବିଧାନସଭା ଆସନରୁ 1997ର ଉପନିର୍ବାଚନ, 1998, 2002 ଓ 2007ରେ ସେ ବିଧାୟକ ଥିଲେ । ସେହିପରି 2012ରେ ନାରନପୁରା ବିଧାନସଭା ଆସନରୁ ସେ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ । ପରେ 2014ରେ ମୋଦି ସରକାର ସମୟରେ ରାଜନାଥ ସିଂହ ଗୃହମନ୍ତ୍ରୀ ହେବା ପରେ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ । ପରେ ସେ ଗୁଜୁରାଟ ରାଜ୍ୟସଭା ସାଂସଦ ହେଲେ । ଚଳିତ ଥର 2019 ଲୋକସଭା ନିର୍ବାଚନରେ ସେ ଗାନ୍ଧିନଗର ଆସନରୁ ସାଢେ ପାଞ୍ଚ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି ।
