ନୂଆଦିଲ୍ଲୀ : ଭାରତରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଯୋଜନା କରୁଛି ପାକିସ୍ତାନ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ଆମେରିକାର ଗୁଇନ୍ଦା ବିଭାଗ । କେବଳ ଏତିକି ନୁହେଁ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଭାରତ ଓ ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ଆମେରିକାର ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଡେନ କୋଟ୍ସ କହିଛନ୍ତି ଯେ, ପାକିସ୍ତାନର ଆତଙ୍କବାଦୀ ସମୂହ ଭାରତ, ଆଫଗାନିସ୍ତାନ ସମେତ ଆମେରିକା ବିରୁଦ୍ଧରେ ଷଡଯନ୍ତ୍ର ରଚୁଛନ୍ତି । ନିଜର ଯୋଜନାକୁ ସଫଳ କରିବା ପାଇଁ ସେମାନେ ପଦକ୍ଷେପ ନେବା ଆରମ୍ଭ କରିଦେଲେଣି ।
ଭାରତ, ପାକିସ୍ତାନ ନିଜର ପରମାଣୁ ଶକ୍ତିକୁ ସୁଦୃଢ କରୁଛନ୍ତି । ଏହାଦ୍ୱାରା ଦକ୍ଷିଣ ଏସିଆରେ ପରମାଣୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆଗାମୀ ନିର୍ବାଚନ ସମୟରେ ଏହି ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ପ୍ରବଳ ମାତ୍ରାରେ ରହିଛି । କୋଟସ କହିଛନ୍ତି ଯେ, ପାକିସ୍ତାନର କିଛି ଗୋଷ୍ଠୀ ନୀତିଗତ ଭାବରେ ଏଭଳି ଷଡ଼ଯନ୍ତ୍ର କରୁଛନ୍ତି ଯେ, ଆଗାମୀ ଦିନରେ ପାକିସ୍ତାନକୁ ବଡ଼ ଧରଣର କ୍ଷତି ଘଟିପାରେ, ଯାହାକି ନିଶ୍ଚିତ ଭାବରେ କୁହାଯାଇପାରିବ ଯେ, ତାଲିବାନ ବିରୋଧରେ ଆତଙ୍କବାଦୀ ନିରୋଧ ଆମେରିକାର ଉଦ୍ୟମକୁ ମଧ୍ୟ ବିଫଳ କରିଦେବ ।