ନୂଆଦିଲ୍ଲୀ: ସାରା ବିଶ୍ୱ ସମେତ ଭାରତରେ ମଧ୍ୟ କୋରୋନା ପ୍ରଭାବ ଦେଖିବାକୁ ମିଳିଛି । କୋରୋନା ଆତଙ୍କରେ ଆତଙ୍କିତ ସା ବିଶ୍ୱ । ପ୍ରାୟ 117ଟି ଦେଶ କୋରୋନା ଏହା ବିସ୍ତାର କରିବାରେ ଲାଗିଛି । ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଚୀନ୍ 1 ନମ୍ବରରେ ଥିବା ବେଳେ ଇଟାଲୀ ଦ୍ୱିତୀୟରେ ରହିଛି । ତେବେ କୋରୋନା ସଂକ୍ରମଣରେ ଭାରତର ଏବେ ସୁଦ୍ଧା 81 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଛି । ଗତକାଲି ରାତିରେ ଦ୍ୱିତୀୟ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଦିଲ୍ଲୀରେ ଜଣେ 68 ବର୍ଷୀୟ ବୃଦ୍ଧା କୋରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି । ସେ ଦିଲ୍ଲୀର ରାମ ମୋହନ ଲୋହିୟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହା ପୂର୍ବରୁ ମଧ୍ୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ଏବେ ସୁଦ୍ଧା ପୁରା ବିଶ୍ୱରେ 5000ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
ତେବେ ଗୋଟିଏ ଦିନ ବ୍ୟବଧାନରେ ଭାରତରେ କୋରୋନା ଆକ୍ରାନ୍ତରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ କୋରୋନାରୁ କେମିତି ରକ୍ଷା ପାଇବା ?
ଅନ୍ୟପଟେ ସରକାରଙ୍କ ପକ୍ଷରୁ କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କେବଳ ସତର୍କତା ଅବଲମ୍ବନ କଲେ ହିଁ କୋରୋନା ସଂକ୍ରମଣକୁ ରୋକାଯାଇପାରିବ । ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ସବୁ ବନ୍ଦ କରାଯାଇଛି । ଗୋଟିଏ ସ୍ଥାନରେ ଅତ୍ୟଧିକ ଲୋକ ଏକତ୍ରିତ ନହେବାକୁ ପରାମର୍ଶ ଦିଆଯାଇଛି । ବାରମ୍ବାର ସାନିଟାଇଜରରେ ହାତ ସଫା ରଖିବାକୁ କୁହାଯାଇଛି । କାଶ କିମ୍ବା ଛିଙ୍କ ହେଉଥିବା ଲୋକଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ବୟସ୍କ ଓ ଛୋଟ ପିଲାଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି ।
