
ନୂଆଦିଲ୍ଲୀ: ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାର ତଦନ୍ତ ପାଇଁ ଗଠିତ କମିଟିରୁ ଜଷ୍ଟିସ୍ ଏନ୍.ଭି ରମନ୍ନା ଓହରି ଯାଇଛନ୍ତି । ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ଗତକାଲି କହିଥିଲେ ଯେ, ଜଷ୍ଟିସ୍ ଏନ୍.ଭି ରମନ୍ନା ମୁଖ୍ୟ ବିଚାରପତିଙ୍କ ଜଣେ ଘନିଷ୍ଠ ବନ୍ଧୁ । ତେଣୁ ତାଙ୍କୁ କମିଟିରୁ ବାଦ ଦିଆଯାଉ ବୋଲି ସେ ନିବେଦନ କରିଥିଲେ ।
ମଙ୍ଗଳବାର ଦିନ ମୁଖ୍ୟ ବିଚାରପତିଙ୍କୁ ବାଦ୍ ଦିଆଯାଇ ଅନ୍ୟ ବିଚାରପତିଙ୍କୁ ନେଇ ଏହି କମିଟି ଗଠନ ହୋଇଥିଲା । ବରିଷ୍ଠତା ଆଧାରରେ ଜଷ୍ଟିସ ଗୋଗୋଇଙ୍କ ପରେ ଥିବା ଜଷ୍ଟିସ ଏସ.ଏ. ବୋବଡେଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଥିଲା । ଏହାପରେ ଜଷ୍ଟିସ ବୋବଡେ ବରିଷ୍ଠତା ଆଧାରରେ ଜଷ୍ଟିସ ଏନ୍.ଭି ରମନ୍ନା ଏବଂ ମହିଳା ସଦସ୍ୟ ଜଷ୍ଟିସ୍ ଇନ୍ଦିରା ବାନାର୍ଜିଙ୍କୁ ତଦନ୍ତ କମିଟିରେ ସାମିଲ କରିଥିଲେ । ସୁପ୍ରିମକୋର୍ଟ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କୋର୍ଟରେ ପକ୍ଷ ରଖି ଜଷ୍ଟିସ ଏନ୍.ଭି ରମନ୍ନା ତଦନ୍ତ କମିଟିରୁ ଓହରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ଜଣେ ପୂର୍ବତନ ମହିଳା କର୍ମଚାରୀ ଗତ ସପ୍ତାହର ଶନିବାର ଦିନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏଥିପାଇଁ ସେ ୨୨ ଜଣ ବିଚାରପତିଙ୍କୁ ସତ୍ୟପାଠ ଜରିଆରେ ନିଜର ଅଭିଯୋଗ ଜଣାଇଥିଲେ । ତେବେ ଶନିବାର ଦିନ ଆସିଥିବା ଏପରି ଅଭିଯୋଗକୁ ବୃହତ ସ୍ୱାର୍ଥ ଦୃଷ୍ଟିରୁ ସେହିଦିନ ହିଁ ଶୁଣାଣି କରାଯାଇଥିଲା । ନିଜେ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ । ତାଙ୍କୁ ମାନସିକ ଚାପ ପକାଇ ଇସ୍ତଫା ଦେବାକୁ ବାଧ୍ୟ କରିବା ପାଇଁ ଏପରି ଅଭିଯୋଗ ଅଣାଯାଇଛି ବୋଲି ପ୍ରଧାନ ବିଚାରପତି କହିଥିଲେ ।
ସେହିପରି ସୁପ୍ରିମକୋର୍ଟର ଆଇନଜୀବୀ ଉତ୍ସବ ବୈନ୍ସ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏକ ଷଡ଼ଯନ୍ତ୍ର ବୋଲି ଦାବି କରିବା ପରେ ସେହି ମାମଲାର ଶୁଣାଣି ଜଷ୍ଟିସ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠରେ ଚାଲିଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏ.କେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷଡ଼ଯନ୍ତ୍ର ମାମଲାର ଶୁଣାଣି ହେବ ବୋଲି ଆଜି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
