ଅର୍ଗସ ବ୍ୟୁରୋ : ଆହୁରି ସଶକ୍ତ ହେବ ଭାରତୀୟ ସେନା । ୮୪ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବ ଭାରତ । ଏଥିପାଇଁ ଡିଫେନ୍ସ ଆକ୍ୟୁଜିସନ କାଉନସିଲ ବୈଠକରେ ମିଳିଲା ମଞ୍ଜୁରୀ । କେନ୍ଦ୍ର ପ୍ରତିରତିକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଏସି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ଭାରତକୁ ଆତ୍ମନିର୍ଭର କରିବା ଲକ୍ଷ୍ୟ ହାସଲ ପାଇଁ ୮୨ ହଜାର କୋଟିର ଅସ୍ତ୍ରଶସ୍ତ୍ର ଦେଶରୁ ହିଁ କ୍ରୟ କରାଯିବ । ଅର୍ଥାତ ମୋଟ କ୍ରୟର ୯୭.୪ ପ୍ରତିଶତ ସାମଗ୍ରୀ ଦେଶରେ ପ୍ରସ୍ତୁତ ହେବ । ଏ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରାଯାଇଛି । ସୀମାରେ ଚୀନ ଦାଦାଗିରି ଦେଖାଉଥିବା ସମୟରେ ଏହି ନିଷ୍ପତ୍ତି ବେଶ ଗୁରୁତ୍ବପୂର୍ଣ୍ଣ ।
ଏହି ଅସ୍ତ୍ରଶସ୍ତ୍ର କ୍ରୟ ଦ୍ବାରା ଆହୁରି ଶକ୍ତିଶାଳି ହେବେ ଭାରତୀୟ ଯବାନ । ଅନ୍ୟପଟେ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ମଧ୍ୟ ମଜଭୁତ ହେବ । ତେବେ ଡିଏସି ବୈଠକରେ ମୋଟି ୨୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ବେଳେ ଏଥିରୁ ୬ଟି ପ୍ରସ୍ତାବ ସ୍ଥଳସେନା, ୬ଟି ବାୟୁସେନା, ୧୦ଟି ନୌସେନା ଓ ୨ଟି ତଟରକ୍ଷୀ ବଳଙ୍କ ପକ୍ଷରୁ ଦିଆଯାଇଛି । ଏଥି ମଧ୍ୟରେ ରହିଛି ଫ୍ୟୁଚରେଷ୍ଟିକ୍ ଇନଫ୍ରାଣ୍ଟି କମବାଟ୍ ଭେଇକିଲ୍, ହାଲୁକା ଟ୍ୟାଙ୍କ, ନାଭାଲ ଆଣ୍ଟିସିପ୍ ମିସାଇଲ, ମଲଟି ପରପସ ଭେଇକିଲ୍, ନୂଆ ରେଞ୍ଜର ମିସାଇଲ୍ ସିଷ୍ଟମ, ଲଙ୍ଗ ଗାଇଡେଡ୍ ବମ୍ ଭଳି ଅସ୍ତ୍ରଶସ୍ତ୍ର ।