2019 ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପାର୍ଟି ପ୍ଲାନିଂ ଓ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି । ଷ୍ଟ୍ରାଟେଜି ଅନୁସାରେ ଚଳିତଥର ଫେବୃୟାରୀ ଶେଷରେ ହେବାକୁ ଥିବା ଓ୍ୱାର୍କିଂ କମିଟି ବୈଠକ ଦିଲ୍ଲୀରେ ଆୟୋଜିତ ହେବ ନାହିଁ । କାରଣ ଏହି ବୈଠକ ଗୁଜାରାଟରେ ଆୟୋଜିତ କରାଯାଇଛି ।
26 ଫେବୃୟାରୀରେ ଅହମ୍ମଦାବାଦଠାରେ ଓ୍ୱାର୍କିଂ କମିଟିର ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂହଙ୍କ ସମେତ ସବୁ ବଡ଼ ବଡ଼ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁଯାୟୀ, 58 ବର୍ଷ ପରେ ଗୁଜରାଟରେ କଂଗ୍ରେସର ଓ୍ୱାର୍କିଂ କମିଟି ବୈଠକ ଆୟୋଜନ କରାଯାଇଛି । ଏହା ପୂର୍ବରୁ କଂଗ୍ରେସର ଓ୍ୱାର୍କିଂ କମିଟି ବୈଠକ 1902, 1921 ଓ 1961ରେ ଗୁଜରାଟରେ ଆୟୋଜନ କରାଯାଇଥିଲା ।
ରାହୁଲ ଗାନ୍ଧି ଗୁରୁବାରଠାରୁ ଗୁଜରାଟ ଧରମପୁରରୁ ନିଜର ନିର୍ବାଚନୀ ଅଭିଯାନ ଆରମ୍ଭ କରିସାରିଛନ୍ତି । ଗୁଜରାଟର ଲାଲ୍ ଡୁଙ୍ଗରୀ ଗାଁ କଂଗ୍ରେସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । କାରଣ ଏହି ଗାଁରୁ ରାହୁଲଙ୍କ ଜେଜେ ମା ଇନ୍ଦିରା ଗାନ୍ଧି 1980ରେ, ରାଜିବ ଗାନ୍ଧି 1984ରେ ଆଉ 2004ରେ ସୋନିଆ ଗାନ୍ଧି ଏହି ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଅଭିଯାନ ଆରମ୍ଭ କରିଥିଲେ । କଂଗ୍ରେସ ନେତାଙ୍କ କହିବାନୁଯାୟୀ, ଗୁଜରାଟରେ ସିଡବ୍ଲ୍ୟୁସିର ବୈଠକ ଆୟୋଜନ କରାଗଲେ ସେଠାରେ ଦଳକୁ ଅନେକ ଜୋସ୍ ମିଳିବ ।
